ନୂଆଦିଲ୍ଲୀ,୨୪।୧: ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ପୋଲିସ ପକ୍ଷରୁ ଚାର୍ଜଶିଟ୍ ଦାଖଲ କରାଯାଇଛି। ମଙ୍ଗଳବାର ଦିଲ୍ଲୀ ପୋଲିସ ୬ହଜାର ୬୨୯ ପୃଷ୍ଠାର ଏକ ଚାର୍ଜଶିଟ୍ ଦାଖଲ କରିଛି। ଏହି ମାମଲାରେ ଦିଲ୍ଲୀ ପୋଲିସ ୭୫ଦିନ ପରେ ଏହି ଚାର୍ଜଶିଟ୍ ଦାଖଲ କରିଥିବା ବେଳେ ଏଥିରେ ଅଫ୍ତାବ ପୁନାଓ୍ବାଲାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଯାଇଛି। ସବୁଠାରୁ ବଡ଼ କଥା ହେଉଛି ଉକ୍ତ ଚାର୍ଜଶିଟ୍କୁ ନିଜ ଓକିଲଙ୍କୁ ନ ଦେଖାଇବା ପାଇଁ ଅଫତାବ ଦାବି କରିଛନ୍ତି। ଏଥିସହ ସେ ନିଜ ଓକିଲଙ୍କୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ବୋଲି ଅଫତାବ କହିଛନ୍ତି। ଅନ୍ୟପଟେ ଅଭିଯୁକ୍ତ ଅଫତାବଙ୍କୁ ମଙ୍ଗଳବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ସାକେତ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଏହି ମାମଲାର ଶୁଣାଣି କରି ଫେବୃଆରୀ ୭ ପର୍ଯ୍ୟନ୍ତ ତାଙ୍କର ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି। ଶୁଣାଣି ସମୟରେ ଅଫତାବ ମାଜିଷ୍ଟ୍ରେଟଙ୍କୁ ଚାର୍ଜଶିଟ ମିଳିପାରିବ କି ବୋଲି ପଚାରିଥିଲେ। ହେଲେ ଏହା ଉପରେ ଫେବୃଆରୀ ୭ରେ ବିଚାର କରାଯିବ ବୋଲି ମାଜିଷ୍ଟ୍ରେଟ କହିଛନ୍ତି।