Categories: ଜାତୀୟ

ଦିଲ୍ଲୀ ସ୍ଥିତି ଅଣାୟତ: ୩୦୦ରୁ ଅଧିକ ପୋଲିସ ଆହତ, ୨୨ ମାମଲା ରୁଜୁ

ନୂଆଦିଲ୍ଲୀ,୨୭।୧: ରାଜଧାନୀ ଦିଲ୍ଲୀରେ ପୋଲିସ ଏବଂ ଅନ୍ନଦାତା ମୁହାଁମୁହିଁ ହୋଇଛନ୍ତି। ଫଳରେ ସ୍ଥିତି ଅଣାୟତ ହେବାରେ ଲାଗିଛି। ଅନ୍ନଦାତାଙ୍କ ସହିତ ଧସ୍ତାଧସ୍ତିରେ ୩୦୦ରୁ ଅଧିକ ପୋଲିସ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଉତ୍ତର ଦିଲ୍ଲୀରେ ୪୧ ଜଣ, ପୂର୍ବ ଦିଲ୍ଲୀରେ ୩୪, ପଶ୍ଚିମ ଦିଲ୍ଲୀରେ ୨୭, ଦ୍ୱାରକାରେ ୩୨, ଉତ୍ତର ଜିଲା ବାହାରେ ୧୨, ଶାହଦରାରେ ୫, ଦକ୍ଷିଣ ଜିଲାରେ ୪ ଏବଂ ଦିଲ୍ଲୀ ବାହାର ୭୫ ଜଣ ପୋଲିସ ଆହତ ହୋଇଛନ୍ତି। ଓ୍ବଜିରାବାଦ୍‌ ଏବଂ ବୁରାଡ଼ି ଏସ୍‌ଏଚ୍‌ଓ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଟ୍ରାକ୍ଟର ଓଲଟି ପଡ଼ିବାରୁ ଜଣେ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ୨୭ ବର୍ଷ ବୟସ୍କ ନବରିତ୍‌ ସିଂ। ସେ ଅଷ୍ଟ୍ରେଲିଆରେ ପାଠ ପଢୁଥିଲେ। ୩ ଦିନତଳେ ନବରିତ୍‌ ଭାରତ ଫେରିଥିଲେ। ଇତିମଧ୍ୟରେ ଏହି ହିଂସକ ଘଟଣାକୁ ନେଇ ୨୨ ମାମଲା ରୁଜୁ କରାଯାଇଛି। ସିସିଟିଭି ରେକର୍ଡିଂ ଆଧାରରେ ପ୍ରଦର୍ଶନକାରୀଙ୍କୁ ଚିହ୍ନ କରିବାକୁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। ଅନ୍ନଦାତାଙ୍କ ପ୍ରଦର୍ଶନ ନିୟନ୍ତ୍ରଣ ବାହାରକୁ ଚାଲି ଯିବାରୁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯିବା ସହିତ ଓ୍ବାଟର କ୍ୟାନନରୁ ପାଣି ମାଡ଼ କରାଯାଇଥିଲା। ସେହିପରି ପ୍ରଦର୍ଶନକାରୀଙ୍କୁ ଘଉଡ଼େଇବା ପାଇଁ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ଗାଜିପୁର ମଣ୍ଡି, ଏନ୍‌ଏଚ୍‌-୯ ଏବଂ ଏନ୍‌ଏଚ୍‌-୨୪କୁ ବନ୍ଦ କରି ଦିଆଯାଇଛି। ଦିଲ୍ଲୀର ସ୍ଥିତିକୁ ନେଇ ବୁଧବାର ସୁପ୍ରିମ୍‌କୋର୍ଟ ପକ୍ଷରୁ ଗଠିତ ହୋଇଥିବା କମିଟି ବୈଠକକୁ ରଦ୍ଦ କରି ଦିଆଯାଇଛି। ବୈଠକ ଜାନୁୟାରୀ ୨୯ରେ ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ କରାଯାଇଛି।

Share