ନିୟମ ଉଲ୍ଲଂଘନ ଅଭିଯୋଗରେ ତିଲକ ନଗରର ୫ମାର୍କେଟ ସିଲ୍‌

ନୂଆଦିଲ୍ଲୀ,୨୩।୭: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା କମିଯାଇଛି। ଏଥିପାଇଁ ରାଜ୍ୟକୁ ସରକାର ଅନ୍‌ଲକ୍‌ କରିଛନ୍ତି। ହେଲେ ଦିଲ୍ଲୀ ମାର୍କେଟରେ ଲୋକମାନେ କୋଭିଡ-୧୯ର ସମସ୍ତ ନିୟମ କଟକଣାକୁ ଫୁ କରିଦେଇଛନ୍ତି। କୌଣସି ବ୍ୟକ୍ତି କରୋନା ଗାଇଡ୍‌ଲାଇନ୍ସକୁ ମାନୁ ନ ଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ନିୟମ ଉଲ୍ଲଂଘନ ଅଭିଯୋଗରେ ତିଲକ ନଗରର ୫ଟି ମାର୍କେଟ ସିଲ୍‌ କରିଦିଆଯାଇଛି। ମଲ୍‌ ରୋଡ, ମେନ ମାର୍କେଟ, ମଙ୍ଗଳ ବଜାର ରୋଡ, ପୁରୁଣା ମାର୍କେଟ ଓ ଫଳ ମାର୍କେଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଟେଲ ନଗରର ଏସ୍‌ଡିଏମ୍‌ କମାଣ୍ଡର ଜିତେନ୍ଦ୍ର ଏହି ମାର୍କେଟକୁ ତୁରନ୍ତ ଜୁଲାଇ ୨୩ରୁ ଜୁଲାଇ ୨୭ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏନେଇ ସ୍ଥାନୀୟ ପୋଲିସକୁ ମଧ୍ୟ ଏକ ଆଦେଶନାମାର ନକଲ ପଠାଯାଇଥିବା ଜଣାପଡ଼ଇଛି।

Share