Categories: ଜାତୀୟ

ଅଧିକ ସିସିଟିଭି କ୍ୟାମେରା ସହର ତାଲିକାରେ ଦିଲ୍ଲୀ ଶୀର୍ଷରେ…

ନୂଆଦିଲ୍ଲୀ,୨୮।୮: ଅଧିକ ସିସିଟିଭି ଥିବା ପୃଥିବୀର ଶ୍ରେଷ୍ଠ ୧୦ ସହର ତାଲିକାରେ ଦିଲ୍ଲୀ ଶୀର୍ଷରେ ରହିଛି। ଟେକ୍ନୋଲୋଜି ସାଇଟ୍‌ କମ୍ପୋରେଟକ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ମୋଷ୍ଟ ସର୍ଭେଲ୍ଡ୍‌ ସହର ଭାବେ ଦିଲ୍ଲୀ ଦେଶର ଗୌରବ ବଢ଼ାଇଛି। ଏହାଦ୍ୱାରା ଦିଲ୍ଲୀ ଦୁନିଆର ସବୁଠାରୁ ’ମନିଟରିଂ ସହର’ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ତାଲିକାରେ ଲଣ୍ଡନ ଦ୍ୱିତୀୟ ସ୍ଥାନରେ ଏବଂ ଚେନ୍ନାଇ ତୃତୀୟ ସ୍ଥାନରେ ରହିଛି। ଏହା ବ୍ୟତୀତ ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ମଧ୍ୟ ଏହି ତାଲିକାରେ ୧୮ତମ ସ୍ଥାନରେ ରହିଛି। ବିଶେଷ କଥା ହେଉଛି ଦିଲ୍ଲୀ ଏବଂ ଚେନ୍ନାଇ ସହିତ ପ୍ରଥମ ୧୦ ସହର ମଧ୍ୟରେ ଏହି ତାଲିକାରେ ଆମେରିକାର ନ୍ୟୁୟର୍କ ଏବଂ ଚାଇନାରେ ସାଂଘାଇ ଭଳି ସହର ରହିଛନ୍ତି। ପ୍ରଥମ ୧୦ଟି ସ୍ଥାନରେ ଚାଇନାର ୬ଟି ସହର ରହିଛି। ଫୋର୍ବସ ଇଣ୍ଡିଆ ଏହାର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏହି ତାଲିକା ପୋଷ୍ଟ କରିଛି।
ଟେକ୍ନୋଲୋଜି ସାଇଟ୍‌ କମ୍ପୋରେଟକ୍‌ ପକ୍ଷରୁ ପୃଥିବୀର ପ୍ରମୁଖ ସହରଗୁଡିକର ‘ପ୍ରତି ବର୍ଗ ମାଇଲ’ ରେ କେତେ ସଂଖ୍ୟକ ସିସିଟିଭି କ୍ୟାମେରା ରହିଛି ତାହାର ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ, ପ୍ରତି ବର୍ଗ ମାଇଲରେ ଦିଲ୍ଲୀରେ ୧,୮୨୬ .୬ ସିସିଟିଭି କ୍ୟାମେରା ରହିଛି। ସେହିପରି ଲଣ୍ଡନରେ ୧,୧୩୮.୫ କ୍ୟାମେରା ପ୍ରତି ବର୍ଗ ମାଇଳ,ରେ ରହିଛି।
ଚେନ୍ନାଇରେ ପ୍ରତି ବର୍ଗ ମାଇଲ ପିଛା ୬୦୯.୯ ସିସିଟିଭି କ୍ୟାମେରା ସହିତ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି। ଏହି ତାଲିକାରେ ୧୮ତମ ସ୍ଥାନରେ ଥିବା ମୁମ୍ବାଇ ପ୍ରତି ବର୍ଗ ମାଇଲରେ ୧୫୭.୪ ସିସିଟିଭି କ୍ୟାମେରା ଲଗାଯାଇଛି। ଏହି ତାଲିକା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ଦିଲ୍ଲୀ ପାଇଁ ଗର୍ବର ବିଷୟ ବୋଲି କହି ଟୁଇଟ୍‌ କରିଛନ୍ତି। ଏହି ସଫଳତା ପାଇଁ ଦିଲ୍ଲୀ ସହରର ଅଧିକାରୀ ଏବଂ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ସେମାନେ ଏତେ କମ ସମୟ ମଧ୍ୟରେ ଦିନରାତି ପରିଶ୍ରମ କରି ଏହି ଲକ୍ଷ୍ୟ ହାସଲ କରିଥିବା ସେ କହିଛନ୍ତି।

Share