Categories: ଜାତୀୟ

୧୭ରୁ ଖୋଲିବ ଦିଲ୍ଲୀ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ,୯।୨: ଆସନ୍ତା ଫେବୃୟାରୀ ୧୭ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ପ୍ରଫେସର ରଜନୀ ଆବି ବଧବାର ସୂଚନା ଦେଇଛନ୍ତିି। ଫିଜିକାଲ କ୍ଲାସ୍‌ କିଭଳି ହେବ ଏବଂ ଶ୍ରେଣୀ ଗୃହରେ ଛାତ୍ରୀଛାତ୍ର କରୋନା ପ୍ରୋଟୋକଲ ମାନି କିପରି ପରୀକ୍ଷା ଦେବେ ସେ ବିଷୟରେ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ କହିଛନ୍ତି।
ଦିଲ୍ଲୀ ବିଶ୍ୱବିଦ୍ୟାଳୟ କୁଳପତି ଯୋଗେଶ ସିଂ ଏହା ପୂର୍ବରୁ କହିଥିଲେ ଯେ, ବିଶ୍ୱବିଦ୍ୟାଳୟ କିଛି ଦିନ ମଧ୍ୟରେ ଖୋଲିବ ଏ ନେଇ ପ୍ରସ୍ତୁତ ଆରମ୍ଭ କରିବୁ। ଯଦି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଶତପ୍ରତିଶତ ବସିବା କ୍ଷମତାକୁ ଅନୁମତି ଦିଏ, ତେବେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ବିଶ୍ୱବିଦ୍ୟାଳୟର ଅଧିକାଂଶ ଛାତ୍ରୀଛାତ୍ର ବାହାର ରାଜ୍ୟର ହୋଇଥିବାରୁ କ୍ୟାମ୍ପସକୁ ଫେରିବା ନେଇ ତାଙ୍କୁ ୧୦ ଦିନ ସମୟ ଦେବୁ ବୋଲି ଭିସି କହିଥିଲେ।
ବହୁ ସଂଖ୍ୟକ ଛାତ୍ରୀଛାତ୍ର ପୂର୍ବରୁ କ୍ୟାମ୍ପସ ଖୋଲିବାକୁ ଦାବି କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟ ବାହାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜାତୀୟ ରାଜଧାନୀରେ ଥିବା ବିଦ୍ୟାଳୟଗୁଡ଼ିକ, ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ କୋଚିଂ ସେଣ୍ଟରଗୁଡ଼ିକ ଫେବୃଆରୀ ୭ରୁ ଖୋଲା ଯାଇଥିଲା।

Share