Categories: ଜାତୀୟ

ଦିଲ୍ଲୀ ହିଂସା: ୨୦୦ ଅଟକ

ନୂଆଦିଲ୍ଲୀ,୨୮।୧: ଟ୍ରାକ୍ଟର ରାଲି ହିଂସା ଘଟଣାରେ ଦିଲ୍ଲୀ ପୋଲିସ ୨୦୦ ଲୋକଙ୍କୁ ଅଟକ ରଖିଛି। ଏପର୍ଯ୍ୟନ୍ତ ୨୫ ଏତଲା ଦାଏର ହୋଇଥିବାବେଳେ ସେଥିରେ ୧୩ କୃଷକ ନେତାଙ୍କ ନାଁ ରହିଛି। ସେମାନେ ହେଲେ ଭାରତୀୟ କିଷାନ ସଂଘ (ବିକେୟୁ) ମୁଖପାତ୍ର ରାକେଶ ଟିକାଏତ୍‌, ବିଜେନ୍ଦ୍ର ସିଂ ଭିର୍କ, ଭି.ଏମ୍‌. ସିଂ, ଜଗତାର ସିଂ ବାଜଓ୍ବା, ରିଶିପାଲ ସିଂ, ହରପାଲ ସିଂ, ବିନୋଦ କୁମାର, ଦର୍ଶନ ପାଲ୍‌, ରାଜିନ୍ଦର ସିଂ, ବଲବୀର ସିଂ ରାଜଓ୍ବୋଲ, ବୁଟା ସିଂ, ଯୋଗୀନ୍ଦର ସିଂ ଉଗ୍ରହ, ଗୁର୍‌ନାମ ସିଂ ଚାଡୁନି ଏବଂ ସ୍ବରାଜ ଇଣ୍ଡିଆ ନେତା ଯୋଗେନ୍ଦ୍ର ଯାଦବ। ଟ୍ରାକ୍ଟର ରାଲି ପାଇଁ ଜାରି ହୋଇଥିବା ଏନ୍‌ଓସି ଗାଇଡ୍‌ଲାଇନ ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଟିକାଏତ୍‌ଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଦଙ୍ଗା, ସରକାରୀ କର୍ମଚାରୀଙ୍କୁ କର୍ତ୍ତବ୍ୟ ସମ୍ପାଦନରେ ବାଧା ଦେବା ଆଦି ଅଭିଯୋଗରେ ଏତଲା ଦାଏର ହୋଇଛି। ଚାଷୀମାନେ ଟ୍ରାକ୍ଟର ମଡ଼ାଇ ଜଣେ ପୋଲିସ କର୍ମଚାରୀଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରାଯାଇଛି। କେତେକ ଟ୍ରାକ୍ଟରର ନମ୍ବର ପ୍ଲେଟ୍‌କୁ ଲୁଚାଇଦିଆଯାଇଥିବା ଅଭିଯୋଗ ହୋଇଛି। ଚାଷୀଙ୍କୁ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରାଲି କରିବାକୁ କୁହାଯାଇଥିଲା। କିନ୍ତୁ ସେମାନେ ଏହାର ଯଥେଷ୍ଟ ପୂର୍ବରୁ ବାହାରିଥିଲେ। ରାଲିରେ ୫,୦୦୦ ଟ୍ରାକ୍ଟରକୁ ଅନୁମତି ଥିବାବେଳେ ଏହାଠାରୁ ବହୁ ସଂଖ୍ୟକ ଟ୍ରାକ୍ଟର ଏଥିରେ ସାମିଲ ହୋଇଥିବା ପୋଲିସ କହିଛି।

Share