Categories: ଜାତୀୟ

ମୂଲ୍ୟହୀନ ହୋଇ ପଡ଼ିଲା ମମତା; ପୁଅ ଚାପୁଡାରେ ଚାଲିଗଲା ମା’ର ଜୀବନ

ନୂଆଦିଲ୍ଲୀ,୧୭।୩ : ପୁଅ ଚାପୁଡ଼ାରେ ଚାଲି ଯାଇଛି ୭୬ ବର୍ଷୀୟା ମା’ର ଜୀବନ। ଏହି ଘଟଣା ଦ୍ୱାରକାରେ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅବତାର କୌର ନାମକ ଜଣେ ମହିଳାଙ୍କୁ ସୋମବାର ଚାପୁଡା ମାରିଥିଲେ ପୁଅ। ଏହାପରେ ଚେତା ହରାଇ ତଳେ ପଡ଼ିଯାଇଥିଲେ ମହିଳା ଜଣଙ୍କ। ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି ପାଖରେ ଲାଗିଥିବା ସିସିଟିଭିରେ।

ଭିଡିଓ ଭାଇରାଲ ହେବା ପରେ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରିବା ସହ ୪୫ ବର୍ଷୀୟ ପୁଅକୁ ଆଇପିସି ଧାରା ୩୦୪ରେ ବିନ୍‌ଦାପୁର ପୋଲିସ ଗିରଫ କରିଛି। ପୋଲିସ ଅନୁଯାୟୀ, ଘଟଣା ପୂର୍ବରୁ ମୃତକ ମହିଳା ଓ ପଡ଼ୋଶୀଙ୍କ ମଧ୍ୟରେ ଗାଡ଼ି ପାର୍କିଂକୁ ନେଇ ବିବାଦ ହୋଇଥିଲା। ଏ ନେଇ ପିସିଆର ଭ୍ୟାନକୁ ଡାକିଥିଲେ ପଡ଼ୋଶୀ। ହେଲେ ପୋଲିସ ପହଞ୍ଚିବା ପୂର୍ବରୁ ଘଟଣାର ସମାଧାନ ହୋଇସାରିଥିବା ଅଭିଯୋଗକାରୀ କହିଥିଲେ। ଏହାପରେ ମହିଳାଙ୍କ ସହ ଯୁକ୍ତିତର୍କ କରିଥିଲେ ପୁଅ ରଣବୀର ଓ ତାଙ୍କ ସ୍ତ୍ରୀ। ରଣବୀର ଉତ୍ୟକ୍ତ ହୋଇ ମା’ଙ୍କୁ ଚାବୁଡ଼ା ମାରିଥିଲେ। ମହିଳାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର।

Share