Categories: ଜାତୀୟ

ଦୀପାବଳିରେ ଦିଲ୍ଲୀର ବାୟୁ ସବୁଠୁ ଭଲ ଥିଲା

ନୂଆଦିଲ୍ଲୀ,୧୩ା୧୧: ଦିଲ୍ଲୀରେ ଯେଉଁଭଳି ଭାବରେ ବାୟୁ ପ୍ରଦୂଷଣ ହେଉଛି ତାହା ପରିବେଶବିତ୍‌ଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ସବୁବର୍ଷ ଦୀପାବଳି ପରଦିନ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସର୍ବାଧିକ ରେକର୍ଡ କରାଯାଇଥାଏ। ମାତ୍ର ଚଳିତ ବର୍ଷ ପ୍ରଦୂଷଣର ମାତ୍ରା କମ୍‌ ରହିଛି। ଯାହାକି ୮ ବର୍ଷ ମଧ୍ୟରେ ସର୍ବୋତ୍ତମ ବୋଲି ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ ବିନୟ କୁମାର ସେହଗଲ କହିଛନ୍ତି।ତଥାପି କିଛି ମାତ୍ରାରେ ବାଣଫୁଟା ଯୋଗୁ ରାତିରେ କମ୍‌ ତାପମାତ୍ରା ପ୍ରଦୂଷଣ ସ୍ତରକୁ ବଢ଼ାଇପାରେ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ ପୂର୍ବାନୁମାନ କରିଛନ୍ତି ଯେ, ବର୍ଷା ପରେ ଆର୍ଦ୍ର ଅବସ୍ଥା ହେତୁ ପଞ୍ଜାବ ଏବଂ ହରିୟାଣାରେ ନଡ଼ା ଜଳିବା ଘଟଣା ବି ହ୍ରାସ ପାଇବ।

ରବିବାର ଅପରାହ୍ନ ୪ଟାରେ ବାୟୁ ପ୍ରଦୂଷଣ ଏକ୍ୟୁଆଇ ୨୧୮ ଥିଲା। ଯାହା ଅତି କମରେ ତିନି ସପ୍ତାହ ମଧ୍ୟରେ ସର୍ବୋତ୍ତମ। ଶୂନରୁ ୫୦ ମଧ୍ୟରେ ଏକ୍ୟୁଆଇ ‘ଭଲ’, ୫୧ରୁ ୧୦୦ ମଧ୍ୟରେ ରହିଲେ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ‘ମଧ୍ୟମ’, ୨୦୧ରୁ ୩୦୦ ମଧ୍ୟରେ ଖରାପ, ୩୦୧ରୁ ୪୦୦ ଅତ୍ୟନ୍ତ ଖରାପ’ ଏବଂ ୪୦୧ରୁ ୪୫୦ ପ୍ରଦୂଷଣ ସବୁଠୁ ଭୟଙ୍କର ବୋଲି ବିବେଚନା କରାଯାଏ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ ଅନୁଯାୟୀ, ଗତବର୍ଷ ଦିଲ୍ଲୀରେ ଏକ୍ୟୁଆଇ ୩୧୨, ୨୦୨୧ରେ ୩୮୨, ୨୦୨୦ରେ ୪୧୪, ୨୦୧୯ରେ ୩୩୭, ୨୦୧୮ରେ ୨୮୧, ୨୦୧୭ରେ ୩୧୯ ଏବଂ ୨୦୧୬ରେ ୪୩୧ଥିଲା। ଶନିବାର ୨୪ ଘଣ୍ଟାର ହାରାହାରି ଏକ୍ୟୁଆଇ ୨୨୦ ଥିଲା, ଗତ ଆଠ ବର୍ଷ ମଧ୍ୟରେ ଦୀପାବଳିର ଗୋଟିଏ ଦିନରେ ଏହା ସର୍ବନିମ୍ନ ଥିଲା ବୋଲି ବିନୟ କୁମାର କହିଛନ୍ତି।

Share