ଦିଲ୍ଲୀର କରୋନା ସ୍ଥିତି: ରିପୋର୍ଟ ତଲବ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୩।୧୧: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏପରିସ୍ଥଳେ ରାଜ୍ୟରେ କରୋନା ସ୍ଥିତି ନେଇ ସୁପ୍ରିମ୍‌କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାରଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ଗତ କିଛି ଦିନ ଧରି ରାଜ୍ୟରେ ସ୍ଥିତି ସଙ୍କଟ ଜନକ ରହିଛି। ମହାମାରୀ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ହସ୍ପିଟାଲର ସ୍ଥିତି ସମ୍ପର୍କିତ ରିପୋର୍ଟ ୩ ଦିନ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ ଲୋଡ଼ିଛନ୍ତି। ଦିଲ୍ଲୀ ସହିତ ଗୁଜରାଟ, ମହାରାଷ୍ଟ୍ର ଏବଂ ଅସାମ ସରକାରଙ୍କୁ କୋର୍ଟ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ସମ୍ପୃକ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାର ସତ୍ୟପାଠ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଚାରପତି ଅଶୋକ ଭୂଷଣ ରାଜ୍ୟର ସ୍ଥିତି ଖରାପ ହେବାରେ ଲାଗିଥିବା କହିଛନ୍ତି। କରୋନା ମୃତକଙ୍କୁ ସମ୍ମାନର ସହିତ ଅନ୍ତିମ ସଂସ୍କାର କରାଯିବା ନେଇ ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ ପାଳନ କରିବା ଲାଗି ସୋଲିସିଟର ଜେନେରାଲ ଏହି ଅବସରରେ କୋର୍ଟରେ ପ୍ରକାଶ କରିଥିଲେ।

Share