Categories: ଜାତୀୟ

ନେହେରୁ ସଂଗ୍ରହାଳୟର ନାମ ପରିବର୍ତ୍ତନ କଲେ କେନ୍ଦ୍ର ସରକାର; କଂଗ୍ରେସ କହିଲା, ସଂକୀର୍ଣ୍ଣତା ଏବଂ ପ୍ରତିଶୋଧପରାୟଣ…

ନୂଆଦିଲ୍ଲୀ,୧୬।୬ ଦିଲ୍ଲୀର ନେହେରୁ ମେମୋରିଆଲ ସଂଗ୍ରହାଳୟ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମେମୋରିଆଲ ସଂଗ୍ରହାଳୟ ଭାବରେ ପରିଚିତ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସରକାରୀ ବାସଭବନକୁ ସଂଗ୍ରହାଳୟ ଭାବେ ଉଦ୍‌ଘାଟନ କରିବାର ଏକ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହାର ନାମ ବଦଳାଇ ଦେଇଛନ୍ତି। ଏହି ନିଷ୍ପତ୍ତିକୁ କଂଗ୍ରେସ ଜୋରଦାର ବିରୋଧ କରିଛି।

ଏନେଇ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ। ସେ କହିଛନ୍ତି, ସଂକୀର୍ଣ୍ଣ ଚିନ୍ତାଧାରା ଏବଂ ପ୍ରତିଶୋଧର ଅନ୍ୟ ନାମ ମୋଦି। ୫୯ ବର୍ଷରୁ ଅଧିକ ସମୟ ଧରି ନେହେରୁ ମେମୋରିଆଲ ସଂଗ୍ରହାଳୟ ଏବଂ ପାଠାଗାର ଏକ ବିଶ୍ୱସ୍ତରୀୟ ବୌଦ୍ଧିକ ଐତିହାସିକ ସ୍ଥଳ ଭାବେ ପରିଚିତ। ଆଜି ପରଠାରୁ ଏହାକୁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ କୁହାଯିବ। ମୋଦି ଭାରତର ଶିଳ୍ପୀ ଏବଂ ଉତ୍ତରାଧିକାରୀଙ୍କୁ ବଦନାମ କରୁଛନ୍ତି। ସେ ସମସ୍ତଙ୍କୁ ଅପମାନିତ କରୁଛନ୍ତି। ନିଜର ଅସୁରକ୍ଷତାର ଭାରରେ ନିଜକୁ ଆତ୍ମ-ଘୋଷିତ ବିଶ୍ୱ ଗୁରୁ ଭାବରେ ପରିଚିତ କରାଉଛନ୍ତି।

ସେହିପରି କଂଗ୍ରେସ ନେତା ମନୀଷ ତିଓ୍ବାରୀ ନେହେରୁ ସଂଗ୍ରହାଳୟ ନାମ ପରିବର୍ତ୍ତନ ନେଇ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କୋଠାର ନାମ ପରିବର୍ତ୍ତନ କରିଦେଲେ ଐତିହ୍ୟ ଲୋପ ପାଇଯାଏନି। ଯେଉଁମାନେ ସ୍ବାଧୀନତା ସଂଗ୍ରାମ ତଥା ଆଧୁନିକ ଭାରତର ନିର୍ମାଣରେ ନେହେରୁଙ୍କ ଅବଦାନକୁ ହଟାଇବାକୁ ଚାହୁଁଛନ୍ତି, ସେମାନେ ନେହେରୁଙ୍କ ଚିନ୍ତାଧାରାକୁ ବୁଝିବା ପାଇଁ ଡିସକଭରି ଅଫ ଇଣ୍ଡିଆ ଏବଂ ବିଶ୍ୱ ଇତିହାସ ପୁସ୍ତକ ପଢିବା ଉଚିତ୍‌।

Share