ଧୀରେ ଧୀରେ କମିଲାଣି ସୁସ୍ବାଦୁ ଜମିମାଛ

ନନ୍ଦାହାଣ୍ଡି,୧୫।୯ (ପ୍ରତୀପ କୁମାର ଦାଶ): ନବରଙ୍ଗପୁର ଜିଲାରେ ପ୍ରତିବର୍ଷ ସାଧାରଣତଃ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ପ୍ରବଳ ବର୍ଷା ହୁଏ। ଏହି ବର୍ଷାଜଳରେ ଚାଷ କାମ କରାଯାଏ। ଧାନ ରୁଆ ସରିବା ପରେ ବର୍ଷା ଯୋଗୁ ଉପରମୁଣ୍ଡର ପାଣି ତଳକୁ ବୋହିବା ସହ ଏହି ପାଣିରେ ତୁରୁଞ୍ଜା ବାମି, ପିତା, ବୁଜି ମାଛ ଏବଂ ଦେଶୀ କଙ୍କଡା ବହି ଆସିଥାନ୍ତି। ସ୍ଥାନୀୟ ଅଞ୍ଚଳରେ ଏହି ସବୁ ମାଛର ଚାହିଦା ଖୁବ୍‌ ବେଶି। ତେଣୁ ଲୋକେ ଦାନ୍ଦର ଏବଂ ବିଶର ଲଗାଇ ଏହି ସବୁ ମାଛ ଧରି ତାହାବୁ ଚଢ଼ା ଦରରେ ବିକ୍ରି କରିଥାନ୍ତି। ତୁରୁଞ୍ଜା ମାଛକୁ ଶୁଖାଇ ଏହାର ଶୁଖୁଆ କିଲୋ ପ୍ରତି ପ୍ରାୟ ୩୦୦୦ ଟଙ୍କାରେ ବିକ୍ରି କରାଯାଏ। ଏହି ମାଛ ଏବଂ ଶୁଖୁଆର ଚାହିଦା ଏତେ ବେଶି ଯେ ପାଖ ଗାଁ, ସହରାଞ୍ଚଳ ସହ ବାହାର ରାଜ୍ୟରେ ରହୁଥିବା ଲୋକେ ମଧ୍ୟ ଚଢ଼ା ଦରରେ ଏହାକୁ କିଣିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଚଳିତ ବର୍ଷ କିନ୍ତୁ ଏସବୁ ମାଛ ଦେଖିବାକୁ ମିଳୁନାହିଁ।
ନନ୍ଦାହାଣ୍ଡି ବ୍ଲକ ୧୧ ପଞ୍ଚାୟତରେ ଏହି ବର୍ଷ ୭୦୭୩ ହେକ୍ଟର ଜମିରେ ଧାନଚାଷ କରାଯାଇଛି। ଅଗଷ୍ଟ ଓ ସେପ୍ଟେମ୍ବରରେ ଯେଉଁ ପରିମାଣର ବର୍ଷା ହେବା କଥା ତା’ ଠାରୁ କମ୍‌ ହେବାରୁ ଉପରମୁଣ୍ଡରୁ ପାଣି ତଳ ଜମିକୁ ବୋହିବା ଦେଖାଯାଇନାହିଁ। ଅମଳ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ରାସାୟନିକ ସାର ଓ କୀଟନାଶକର ପ୍ରୟୋଗ କରାଯାଉଛି। ରାସାୟନିକ ସାର ଏବଂ କୀଟନାଶକ କୁପ୍ରଭାବ ଯୋଗୁ ଏସବୁ ମାଛ ଏବଂ କଙ୍କଡା ଲୁପ୍ତହେବାକୁ ଲାଗିଲେଣି ବୋଲି ମାଛ ସଂଗ୍ରହକରି ବିକ୍ରି କରୁଥିବା ଚାଷୀ ମାନେ କହିଛନ୍ତି। ଏବେ କିଛିଦିନ ହେବ ବର୍ଷା ଲାଗି ରହିଛି। ମାଛ ପାଇବା ଆଶାରେ ଚାଷୀ ବିଶର ଓ ଦାନ୍ଦର ଲଗାଇଥିଲେ। କିନ୍ତୁ ମାଛ ପଡ଼ୁ ନ ଥିବା ସେମାନେ କହିଛନ୍ତି।