Categories: ଜାତୀୟ

ପ୍ରବଳ ତୁଷାରପାତ: ଘୋଡ଼ା ଚଢ଼ି ପାର୍ସଲ ବାଣ୍ଟୁଛନ୍ତି ଡେଲିଭରୀ ବୟ

ଶ୍ରୀନଗର,୧୬।୧: ଆଜିକାଲି ଜମ୍ମୁ-କଶ୍ମୀରରେ ପ୍ରବଳ ତୁଷାରପାତ ହେଉଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡ଼ିଛି। ଏପରି ସ୍ଥିତିରେ ଲୋକେ ଅନ୍‌ଲାଇନ୍‌ରେ ଜିନିଷ ମଗାଉଛନ୍ତି। ମାତ୍ର ସବୁଠୁ ବଡ଼ କଥା ହେଲା ମଗାଇଥିବା ସାମଗ୍ରୀ କିପରି ପାଇବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ପ୍ରବଳ ତୁଷାରପାତ ଯୋଗୁ ଘରେ ଘରେ ସାମଗ୍ରୀ ପହଞ୍ଚାଇବା କଷ୍ଟସାଧ୍ୟ ହୋଇପଡ଼ିଥିବା ବେଳେ ଜଣେ ଡେଲିଭରୀ ବୟ ଘୋଡ଼ା ଚଢ଼ି ଘରେ ଘରେ ପାର୍ସଲ ବାଣ୍ଟୁଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।
୨୨ ବର୍ଷୀୟ ଡେଲିଭରୀ ବୟ ସିରାଜ ଅଲ୍ଲୀ ଖାନ୍‌ ରାସ୍ତାରେ ବରଫ ପଡ଼ିଥିବାରୁ ଲୋକଙ୍କ ଜରୁରୀ ସାମଗ୍ରୀ ସେମାନଙ୍କ ଘରେ ପହଞ୍ଚାଉଛନ୍ତି। ତେଣୁ ସେ ଗାଡ଼ିମୋଟରରେ ଯାଇ ନ ପାରି ଘୋଡ଼ାର ସାହାରା ନେଇଛନ୍ତି।

ଏକ ସାକ୍ଷାତକାରରେ ସିରାଜ କହିଛନ୍ତି, ମତେ ଗ୍ରାହକଙ୍କ ନିକଟରୁ ବାରମ୍ବାର କଲ୍‌ ଆସିଲା। କାରଣ ଏହି ଅର୍ଡରରେ ଔଷଧ, ଶିଶୁଖାଦ୍ୟ ଏବଂ ପାଠପଢ଼ା ସାମଗ୍ରୀ ଆଦି ଥିଲା। ଯାହାକି ନିହାତି ପହଞ୍ଚିବା ଜରୁରୀ। ଅନ୍ୟପକ୍ଷରେ ଗାଡ଼ିରେ ଯିବା ମଧ୍ୟ ଅସମ୍ଭବ ଥିଲା। ତେଣୁ ଘୋଡ଼ା ଚଢ଼ି ପାର୍ସଲ ବାଣ୍ଟିବାକୁ ନିଷ୍ପତ୍ତି ନେଲି। ଏହା ଦ୍ୱାରା ଲୋକମାନେ ତାଙ୍କ ସାମଗ୍ରୀ ପାଇ ଖୁସି ହେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମତେ ଘୋଡ଼ା ଚଢ଼ିବାକୁ ଭଲ ଲାଗେ। ଯେତେବେଳେ ସମୟ ମିଳେ ମୁଁ ଘୋଡ଼ା ଚଢ଼ିଥାଏ। ମାତ୍ର ଏଥରକ ଘୋଡ଼ା ଚଢ଼ି ମୋ ବ୍ୟବସାୟ କରୁଛି, ବହୁତ ଖୁସି ଲାଗୁଛି।

Share