ଭୋପାଳ,୨୯।୪: ଜଣେ କରୋନା ସଂକ୍ରମିତ ମହିଳାଙ୍କଠାରେ ଅକ୍ସିଜେନ ସ୍ତର ବହୁତ କମ୍ ଥିଲା। ଫଳରେ ସେ ଜୀବନ ମରଣ ସହ ସଂଗ୍ରାମ କରୁଥିଲେ। ଏହି ସମୟରେ ସେ କୋଭିଡ୍ ଓ୍ବାର୍ଡରେ ଏକ ସନ୍ତାନ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ମା ଏବଂ ଛୁଆ ସୁସ୍ଥ ଅଛନ୍ତି। ଏପରି ଘଟଣା ଘଟିଛି, ମଧ୍ୟପ୍ରଦେଶର ବିଦିଶା ଜିଲାସ୍ଥିତ ଅଟଳ ବିହାରୀ ମେଡିକାଲ କଲେଜରେ। ଗର୍ଭବତୀ ମହିଳା ଜଣକ ଗୁରୁତର ଅବସ୍ଥାରେ ଜିଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯିବାରୁ ସେ କୋଭିଡ ସଂକ୍ରମିତ ଥିବା ଜଣାପଡ଼ିଥିଲା। ମହିଳାଙ୍କ ଅକ୍ସିଜେନ ସ୍ତର ମଧ୍ୟ ୬୦ ଥିଲା। ଫଳରେ ତାଙ୍କୁ ତୁରନ୍ତ ଭେଣ୍ଟିଲେଟରରେ ରଖାଯାଇଥିଲା। କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ତାଙ୍କୁ ମେଡିକାଲ କଲେଜକୁ ପଠାଯାଇଥିଲା। ଯାହାକି ବହୁତ ଜଟିଳ ପରସ୍ଥିତି ଥିଲା। ଡାକ୍ତରୀ ଟିମ୍ ଗମ୍ଭୀରତାର ସହ ମହିଳାଙ୍କ ଚିକିତ୍ସା କରିଥିଲେ। ପରେ ବୁଧବାର ବିଳମ୍ବିତ ରାତିରେ ସେ ପୁତ୍ର ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ମା-ପୁଅଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।