ଡେଲ୍‌ଟାକୁ ଟପିବ ଓମିକ୍ରନ୍‌ ସଂକ୍ରମଣ

ନୂଆଦିଲ୍ଲୀ, ୧୬।୧୨: ଆସନ୍ତାବର୍ଷ ଜାନୁୟାରୀ-ଫେବୃୟାରୀ ବେଳକୁ କୋଭିଡ୍‌-୧୯ର ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣ ଭାରତରେ ଶୀର୍ଷ ଛୁଇଁପାରେ। ସେତେବେଳକୁ ଏହା ଡେଲ୍ଟା ଭାରିଆଣ୍ଟର ସଂକ୍ରମଣକୁ ଟପିଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଡେଲ୍ଟା ଭାରିଆଣ୍ଟ ଯୋଗୁ ଚଳିତ ବର୍ଷ କୋଭିଡ୍‌ର ଦ୍ୱିତୀୟ ଲହର ଆସିଥିଲା। ଏବେ ବି ବିଭିନ୍ନ ଦେଶରେ ଡେଲ୍ଟା ସଂକ୍ରମଣ ଜାରି ରହିଛି। ତେବେ ଓମିକ୍ରନ୍‌ ସଂକ୍ରମଣ ଗୁରୁତର ନ ହୋଇ ସାଧାରଣ ରହିପାରେ ବୋଲି ମଡେଲିଂ ଅଧ୍ୟୟନରୁ ଜଣାପଡ଼ିଛି। ସେଥିପାଇଁ ନୂଆ ଭାରିଆଣ୍ଟକୁ ନେଇ ଭୟ କରିବାର କାରଣ ନାହିଁ ବୋଲି କୁହାଯାଇଛି। ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହା ସଂକ୍ରମଣ ହାର ଯଥେଷ୍ଟ ଅଧିକ ରହିବ କିନ୍ତୁ ଏହା କାହାକୁ ଗୁରୁତର କରିବ ନାହିଁ। ଓମିକ୍ରନ୍‌ ଭାରିଆଣ୍ଟ ଅଭୂତପୂର୍ବ ହାରରେ ସଂକ୍ରମିତ ହେଉଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଯଦିଓ ୭୭ ଦେଶରେ ଓମିକ୍ରନ ସଂକ୍ରମଣ ଚିହ୍ନଟ ହୋଇଥିବା ରିପୋର୍ଟ ମିଳିଛି, ତେବେ ଏହି ଭାରିଆଣ୍ଟ ଅନେକ ଦେଶକୁ ମାଡ଼ିସାରିଲାଣି ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି। ଆଗାମୀ ଦୁଇ ମାସରେ ଭାରତରେ ଓମିକ୍ରନ୍‌ ସଂକ୍ରମଣ ଯଥେଷ୍ଟ ବଢ଼ିବା ଆଶଙ୍କା କରାଯାଉଛି। ତେଣୁ ସମସ୍ତଙ୍କୁ କୋଭିଡ୍‌ ଟିକାର ଡବଲ୍‌ ଡୋଜ୍‌ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ସଂକ୍ରମଣ ବଢ଼ୁଥିବା ଅଞ୍ଚଳରେ କଣ୍ଟେନ୍‌ମେଣ୍ଟ କଟକଣା ଲଗାଇବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି।

Share