‘ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି’

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗାପ୍ରସାଦ ଛୁରିଆଙ୍କୁ ବେଆଇନ ଭାବେ ବରଗଡ଼ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ପଦବୀରେ ନିଯୁକ୍ତି ଦିଆଯାଇଛି। ନିୟନ୍ତ୍ରିତ ବଜାର କମିଟି ରାଜ୍ୟ ସମବାୟ ସଂସ୍ଥାର ପରିଧି ଅନ୍ତର୍ଭୁକ୍ତ। ଏହି କମିଟିର ସମ୍ପାଦକ ପଦ ପାଇଁ ରାଜ୍ୟ ସମବାୟ ସଂସ୍ଥାର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥାଏ। ଯଦି କୌଣସି ବାହାର ସଂସ୍ଥାର କର୍ମଚାରୀ ଏହାର ଦାୟିତ୍ୱ ନିଅନ୍ତି, ତେବେ ସେ ସର୍ବାଧିକ ୬ ବର୍ଷ ପାଇଁ ପଦବୀରେ ରହିବାର ନିୟମ ଅଛି। କିନ୍ତୁ ବିଧାୟିକାଙ୍କ ଚାପ ଫଳରେ ତାଙ୍କ ସ୍ବାମୀ ୯ ବର୍ଷ କାଳ ଏହି ପଦବୀ ମାଡ଼ି ବସିଛନ୍ତି। କେବଳ ସେତିକି ନୁହେଁ ପଦ୍ମପୁର ଓ ଅତାବିରା ଭଳି ୨ଟି ପଡ଼ୋଶୀ ନିୟନ୍ତ୍ରିତ ବଜାର କମିଟିର ମଧ୍ୟ ଦୁର୍ଗାପ୍ରସାଦ ନିର୍ଦ୍ଦେଶକ ଅଛନ୍ତି। ଏହାର ସୁଯୋଗ ନେଇ ସରକାରୀ ଦଳ ଉପରୋକ୍ତ କମିଟିଗୁଡ଼ିକର ଦୁରୁପଯୋଗ କରୁଥିବାରୁ ଦୁର୍ଗାପ୍ରସାଦଙ୍କୁ ଅବିଳମ୍ବେ ସମ୍ବଲପୁର ଓ ବରଗଡ଼ ଜିଲା ବାହାରକୁ ବଦଳି କରାଯାଉ। ଏଥିସହିତ ତାଙ୍କ ବିରୋଧରେ ମକଦ୍ଦମା ଦାୟର ପାଇଁ ଭାଜପା ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ବିଜେଡିର ନିର୍ବାଚନ ବିଜୟ ପାଇଁ ଶାସନ କଳ ଓ ପ୍ରଶାସନିକ ବ୍ୟବସ୍ଥାର ଦୁରୁପଯୋଗ ଏକମାତ୍ର ଆୟୁଧ ସାଜିଛି ବୋଲି ଭାଜପା ଅଭିଯୋଗ କରିଛି। ସାଧାରଣ ନିର୍ବାଚନ ପାଇଁ ୧୬ ମାର୍ଚ୍ଚରେ ବିଜ୍ଞାପନ ପ୍ରକାଶ ପାଇଲା। ନିୟମ ଅନୁଯାୟୀ ସେହିଦିନଠାରୁ ଆଦର୍ଶ ଆଚରଣବିଧି ଲାଗୁ ହେବା କଥା। କିନ୍ତୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ୨୭ ମାର୍ଚ୍ଚରେ ଗ୍ରାମପଞ୍ଚାୟତ ବିକାଶ ଯୋଜନାକୁ ନିଜ ସାଇଟ୍‌ରେ ଅପ୍‌ଲୋଡ କରିଛିି। ଏହା ଫଳରେ ଶାସକ ଦଳ ଭୋଟରଙ୍କୁ ପ୍ରଲୋଭିତ କରି ବାରମ୍ବାର ଆଦର୍ଶ ଆଚରଣବିଧିର ଖୋଲା ଉଲ୍ଲଂଘନ କରୁଛିି ବୋଲି ଭାଜପା ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସୋମବାର ଦାବିପତ୍ର ପ୍ରଦାନ କରିଛିି।
Share