ଚାବି ପଏଣ୍ଟ ଉପରେ ପ୍ଲେଟ ଦେବାକୁ ଦାବି

ରାଇଘର,୨୫।୪(ଡି.ଏନ୍‌.ଏ.)-ନବରଙ୍ଗପୁର ଜିଲା ରାଇଘର ବ୍ଲକ ସଦର ମହକୁମାରେ ପାନୀୟ ଜଳ ଯୋଗାଣ ତରଫରୁ ସପ୍ଲାଇ କରାଯାଉଥିବା ପାଣି ଚାବି ପଏଣ୍ଟ ଉପରେ ପ୍ଲେଟ ଦେବାକୁ ଦାବି ହୋଇଛି। ପାଇପ୍‌ ଲାଇନ କନେକ୍ସନ କରାଯାଇ ପାଣି ଦିଆଯାଉଛି। କୋଦଭାଟା ରାସ୍ତା ପାର୍ଶ୍ୱରେ ଗୋଟାଏ ଚାବି ପଏଣ୍ଟ ରହିଛି। ସେହି ପଏଣ୍ଟରେ ପାଇପ୍‌ ଫାଟି ଯାଇ ପାଣି ଲିକେଜ୍‌ ହୋଇ ତାରି ଭିତରେ ଜମି ରହୁଛି। ଖୋଲା ରହୁଥିବାରୁ ଲୋକେ ସେଠାରେ ଅଇଁଠା ପତ୍ର, ମଦ ବୋତଲ ପଲିଥିନ ଆଦି ପକାଉଛନ୍ତି। ଫଳରେ ମଇଳା ଆବର୍ଜନା ପଡ଼ି ଉକ୍ତ ସ୍ଥାନଟି ଅପରିଷ୍କାର ହୋଇ ରହୁଛି। ସେଠାରେ ଚାବି ପଏଣ୍ଟ ଥିବାରୁ ରାଇଘରର ସମସ୍ତ ଅଞ୍ଚଳକୁ ପାଣି କନେକ୍ସନ ଯାଉଛି। ଉକ୍ତ ସ୍ଥାନରେ ଏପରି ଅପରିଷ୍କାର ହେବା ଦ୍ୱାରା ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏ ନେଇ ପାନୀୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଲୋକେ ସଚେତନ ନାହାନ୍ତି। ତେଣୁ ଏହି ପ୍ରକାରର ଅସୁବିଧା ହେଉଛି। ତଥାପି ଉକ୍ତ ସ୍ଥାନକୁ ସଫା କରି ଚାବି ପଏଣ୍ଟରେ ପ୍ଲେଟ ଦେବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି।