ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରତି ସ୍କୁଲରେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବି

ଭୁବନେଶ୍ୱର,୨୨ା୧୦(ଅସମାପିକା ସାହୁ)ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସୁପ୍ରିମକୋର୍ଟ ଗତ ଅଗଷ୍ଟ ୨୨ରେ ଏ ସଂକ୍ରାନ୍ତ ମାଲାର ଶୁଣାଣି କରି ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଥିଲେ। ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଦେଇଥିବା ନିର୍ଦ୍ଦେଶ ଅନୁସାରେ, ଆଗାମୀ ୬ ସପ୍ତାହ ଭିତରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରିବେ। ବିଳମ୍ବ ହେଲେ ସେହି ରାଜ୍ୟର ମୁଖ୍ୟ ଶାସନ ସଚିବ କୋର୍ଟରେ ହାଜର ହୋଇ କୈଫିୟତ ଦେବେ। ଗତ ୧୭ ତାରିଖ ପରବର୍ତ୍ତୀ ଶୁଣାଣିରେ ସୁପ୍ରିମକୋର୍ଟ କହିଥିଲେ, ଯେଉଁ ରାଜ୍ୟ କୋର୍ଟରେ ନିଯୁକ୍ତି ସମ୍ପର୍କିତ ଆଫିଡେଭିଟ୍‌ ଦାଖଲ କରିନାହାନ୍ତି, ସେସବୁ ରାଜ୍ୟ ଖୁବ୍‌ଶୀଘ୍ର ଦାଖଲ କରନ୍ତୁ। ଏଥିସହିତ ବିଚାରପତି ସି. ଟି. ରବିକୁମାର ବିରକ୍ତ ପ୍ରକାଶ କରି ସରକାରୀ ଆଇନଜୀବୀଙ୍କୁ ପଚାରିଥିଲେ ଯେ, ଭାରତ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ଗୋଟିଏ ବିଦ୍ୟାଳୟରେ ଗୋଟିଏ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କାହିଁକି କରୁନାହାନ୍ତି? ଏହି ପରିପ୍ରେକ୍ଷୀରେ ଓଡ଼ିଶା ସ୍ପେଶାଲ ଏଜୁକେଟର ଫେଡେରେଶନ ଫର୍‌ ଦିବ୍ୟାଙ୍ଗ ସଂଘ କହିଛି, ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ପାଇଁ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିକୁ ଓଡ଼ିଶା ସରକାର ବିଳମ୍ବ କରୁଛନ୍ତି। ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଖୁବ୍‌ଶୀଘ୍ର ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରିବା ପାଇଁ ସଂଘ ଓଡ଼ିଶା ସରକାରଙ୍କ ନିକଟରେ ଦୃଢ଼ ଦାବି ରଖୁଛି।

Share