କେନ୍ଦ୍ରାପଡ଼ା ଅଫିସ, ୨୭।୪: ଓଡ଼ିଶାର ସର୍ବପ୍ରାଚୀନ କେନ୍ଦ୍ରାପଡ଼ା କେନାଲରେ ୧୮୬୯ ମେ’ ୨୯ରେ ପ୍ରଥମଥର ପାଇଁ ପାଣି ଛଡା ଯାଇଥିଲା। ଜଗତପୁର ନିକଟସ୍ଥ ବିରୂପା ନଦୀରୁ ଏହି କେନାଲ ବାହାରି ପଟ୍ଟାମୁଣ୍ଡାଇ, ଜମ୍ବୁ, ଗୋବରୀ ଆଦି କେନାଲକୁ ପାଣି ଯୋଗା ଯାଉଥିଲା। ଏହି କେନାଲରେ ଜଳସେଚନ ବ୍ୟତୀତ ଡଙ୍ଗା ଯୋଗେ ପଣ୍ୟ ପରିବହନ କରାଯାଉଥିଲା। ୧୯୩୦-୩୧ରେ ପଣ୍ୟ ପରିବହନ ମାହାସୁଲ ବାବଦ ବିଭିନ୍ନ ଲକ୍ଠାରେ ୮୫ ହଜାରରୁ ଅଧିକ ଟଙ୍କା ଆଦାୟ ହୋଇଥିବା ତଥ୍ୟ କୁହେ। ନଅଙ୍କ ଦୁର୍ଭିକ୍ଷରୁ ବର୍ତ୍ତିବା ପାଇଁ ଖୋଳା ଯାଇଥିବା ଏହି ଐତିହ୍ୟ ସମ୍ପନ୍ନ ସୁନାବ୍ୟା କେନାଲ ଏବେ ମୃତ ପ୍ରାୟ ହୋଇଛି। ଏହାର ଉନ୍ନତୀକରଣ କରାଯାଉଥିବା ଜଳସମ୍ପଦ ବିଭାଗ ପକ୍ଷରୁ ଦର୍ଶାଯାଉଥିଲେ ମଧ୍ୟ ଦଳ ଭର୍ତ୍ତି ଯୋଗୁ ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନାହିଁ। ଫଳରେ ଆଗାମୀ ଖରିଫ ଫସଲ ଏଥିରେ ପ୍ରଭାବିତ ହେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏ ନେଇ ଏକ ଦାବିପତ୍ର ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ମଙ୍ଗଳବାର ପ୍ରଦାନ କରାଯାଇଛି।
କେନ୍ଦ୍ରାପଡ଼ା ବ୍ଲକ କଂସାର ଗଁାର ନିରଞ୍ଜନ ପରିଡା, ଦେପୁରା ଗଁାର ଜଗଦୀଶ ପତି, କୃଷକ ନେତା ଗୟାଧର ଧଳ, ବିଧୁଭୂଷଣ ମହାପାତ୍ର ପ୍ରମୁଖ କହିଛନ୍ତି, ଇତିହାସ ପାଲଟି ଯାଉଥିବା କେନ୍ଦ୍ରାପଡ଼ା କେନାଲର ଅତୀତ ଖୁବ୍ ସମୃଦ୍ଧ ଥିଲା। ୧୮୬୬ର ନଅଙ୍କ ଦୁର୍ଭିକ୍ଷ ପରେ ଏହି କେନାଲ ଖୋଳାଯାଇଥିଲା। ଜଳସେଚନ ସହ ନୌବାଣିଜ୍ୟରେ ସହଯୋଗ ଦେଉଥିଲା। ମହାନଦୀ ବ୍ୟାରେଜର ବାମପଟୁ ଆରମ୍ଭ ହୋଇ ଜମ୍ବୁ ପର୍ଯ୍ୟନ୍ତ ଯାଇଥିବା ଏହି କେନାଲର ଲମ୍ବ ୨୪୧ କି.ମି.। କେନାଲ ପାଣିରେ ପ୍ରାରମ୍ଭରେ ଜିଲାର ୧୧,୯୩୮ ହେକ୍ଟର ଚାଷ ଜମିକୁ ଜଳସେଚନ ହେଉଥିଲା। ସେହିପରି ଏହି କେନାଲରୁ ଜଳ ଆହରଣ କରି ଗୋବରୀ କେନାଲ, ଗୋବରୀ ସମ୍ପ୍ରସାରିତ କେନାଲ, ପଟ୍ଟାମୁଣ୍ଡାଇ କେନାଲ ଜରିଆରେ ପ୍ରାୟ ୨୯ ହଜାର ହେକ୍ଟର ଅଞ୍ଚଳରେ ଚାଷ ହେଉଥିଲା। ଜିଲା ଗଠନ ପୂର୍ବରୁ ଏହି ଜଳସେଚନ କ୍ଷମତାକୁ ଧାର୍ଯ୍ୟ କରି ଜିଲାର ସ୍ବତ୍ୱବାନ ଚାଷୀଙ୍କଠାରୁ ଅଦ୍ୟାବଧି ଜଳକର ଆଦାୟ ହେଉଛି। ତେବେ ଏହି କେନାଲରେ ବର୍ଷ ବର୍ଷ ଧରି ରହିଥିବା ଦଳକୁ କଢ଼ାଯିବାର ବ୍ୟବସ୍ଥା କରାଯାଉନାହିଁ। ଫଳରେ ଜଳସେଚନ ବ୍ୟବସ୍ଥା ଫେଲ ମାରିଛି। ଏହା ଏବେ ମଶା, ମାଛିଙ୍କ ଉପତ୍ତ୍ତିସ୍ଥଳ ହୋଇ ଜଳବାହିତ ରୋଗର କାରଣ ସାଜିଛି। ଆବର୍ଜନା ପରିପୂର୍ଣ୍ଣ ଯୋଗୁ ସାପଙ୍କ ଏହା ବାସସ୍ଥଳୀ ପାଲଟିଛି। କେନାଲରେ ଜଳସେଚନ ବାଧାପ୍ରାପ୍ତ ହୋଇଥିବାରୁ ଆଗାମୀ ଖରିଫ ଧାନ ଚାଷ ପ୍ରଭାବିତ ହେବ। ତୁରନ୍ତ କେନାଲ ମଧ୍ୟରୁ ଦଳ ସଫା ବ୍ୟବସ୍ଥା କରିବାକୁ କୃଷକ ନେତାମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଜଳସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରେ କେନାଲର ଉନ୍ନତୀକରଣ ହେଉଛି। ଗଣ୍ଡାକିଆରୁ ଅଳଭା ପର୍ଯ୍ୟନ୍ତ ନବୀକରଣ ସରିଛି। ଖୁବ୍ଶୀଘ୍ର କେନ୍ଦ୍ରାପଡ଼ା କେନାଲର ନବୀକରଣ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି।