କେନ୍ଦୁଝର ଦେଇ ଦିଲ୍ଲୀ ଟ୍ରେନ ଚଳାଚଳ ଦାବି: ଦାବି ପୂରଣ ନ ହେଲେ ରେଳରୋକୋ

କେନ୍ଦୁଝର,୫।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ରେଳବାଇ ରାଜସ୍ବ ଆଦାୟ କ୍ଷେତ୍ରରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ହେଲେ ରେଳ ବିଭାଗ କେନ୍ଦୁଝର ଜିଲାକୁ ଟ୍ରେନ ଚଳାଚଳ ନେଇ ଅବହେଳା କରୁଥିବା ଅଭିଯୋଗ ହେଉଛି। ଜିଲାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ନେଇ କେନ୍ଦୁଝର ଯୁବ ପରିଷଦ ବିଭିନ୍ନ ସମୟରେ ଆନ୍ଦୋଳନ କରି ଆସିଛି। ହେଲେ ରେଳ ବିଭାଗ ଆଖି ଦୃଶିଆ ପ୍ରତିଶ୍ରୁତି ଦେଇ ବସିପଡୁଛି। ଏହି ପରିପ୍ରେକ୍ଷୀରେ ୬ ଦଫା ଦାବିରେ କେନ୍ଦୁଝର ଯୁବ ପରିଷଦ ପକ୍ଷରୁ କେନ୍ଦୁଝରଗଡ଼ ଷ୍ଟେଶନ ମାଷ୍ଟରଙ୍କ ଜରିଆରେ ଡିଆର୍‌ଏମ୍‌ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦୁଝର ଯୁବ ପରିଷଦର ଆବାହକ ବରୋଦା ପ୍ରସନ୍ନ ଦାସଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି।

କେନ୍ଦୁଝର ଦେଇ ଦିଲ୍ଲୀକୁ ଟ୍ରେନ ଚଳାଚଳ, ଖଡଗପୁର-ବଡବିଲ ଓ ଖଡଗପୁର-ଯାଜପୁର ରୋଡ୍‌ ଟ୍ରେନକୁ କେନ୍ଦୁଝର ସମ୍ପ୍ରସାରଣ, ବିଶାଖାପାଟଣା-ଟାଟାନଗର ଟ୍ରେନ ସବୁଦିନ ଚଳାଚଳ, ଟାଟାନଗର ବେଙ୍ଗାଲୁରୁ ହାଇଦ୍ରାବାଦ ଟ୍ରେନ ସାପ୍ତାହିକ କେନ୍ଦୁଝର ଦେଇ ଚଳାଚଳ, କେନ୍ଦୁଝରଗଡରୁ ପାରାଦୀପ ଭାୟା ହରିଦାସପୁରକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ସହ କେନ୍ଦୁଝରଗଡ ଓ ବିଭିନ୍ନ ଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ସୁବିଧା ପ୍ରଦାନ ଆଦି ଦାବି କରାଯାଇଛି। ଦାବି ପୂରଣ ନ ହେଲେ ଆଗାମୀ ୨୦୨୪ ଜାନୁୟାରୀ ୫ ତାରିଖରୁ ଆନ୍ଦୋଳନ କରାଯିବ ବୋଲି ଯୁବ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି।

ଦାବିପତ୍ର ପ୍ରଦାନ ବେଳେ ଯୁବ ପରିଷଦ ସମ୍ପାଦକ ସନ୍ତୋଷ ମହାପାତ୍ରଙ୍କ ସମେତ ସୁକୁମାର ସାହୁ, ଭଗବାନ ନାଏକ, ଅଭିନାଶ ମିଶ୍ର, ଅସିତ ପଟ୍ଟନାୟକ, ଆଲୋକ ଜେନା, ସଞ୍ଜୟ ନାୟକ, ରାଜ କିଶୋର ବାରିକ, ସଞ୍ଜୀବ ସାହୁ, ମଙ୍ଗଳ ଜେନା, ସାଗର ଲୋହାର, ସୁଧଲ ମହାନ୍ତି, ଲୁଲୁ ମଙ୍ଗରାଜ, ରାଧାକାନ୍ତ ନାୟକ, ଅବନୀ ପାତ୍ର, ଅଷାଢୁ ନାଏକଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

Share