ତାଳଚେରକୁ ଜିଲା ଘୋଷଣା ଦାବି

ତାଳଚେର,୧୮ା୧୧ (ନି.ପ୍ର.):ଓଡ଼ିଶାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅଧିକ ରାଜସ୍ବ ଦେଉଥିବା ଏବଂ ଦେଶର ସବୁଠାରୁ ଅଧିକ କୋଇଲା ଉତ୍ପାଦନ ସହିତ ଏସିଆର ସର୍ବବୃହତ୍‌ ବିଦ୍ୟୁତ କାରଖାନା ଥିବା ଅନୁଗୋଳ ଜିଲାର ତାଳଚେରର ଗୁରୁତ୍ୱକୁ ଉପଲବ୍ଧ କରି ଏହାକୁ ସ୍ବତନ୍ତ୍ର ଜିଲା ଘୋଷଣା କରିବାକୁ ଦାବି ଉଠିଛି। ତାଳଚେର ଓ ପାଲଲହଡ଼ାକୁ ମିଶାଇ ତାଳଚେରକୁ ସ୍ବତନ୍ତ୍ର ଜିଲା ଭାବେ ରାଜ୍ୟ ସରକାର ଘୋଷଣା କରନ୍ତୁ ବୋଲି ଗୁରୁବାର ପୂର୍ବତନ ନଗରପାଳ କେଶବ ଭୂତିଆ ଦାବି କରିଛନ୍ତି। ସେ କହିଛନ୍ତି, ଭୌଗୋଳିକ ଓ ଜନସଂଖ୍ୟା ଦୃଷ୍ଟିରୁ କଣିହଁା ବ୍ଲକକୁ ସ୍ବତନ୍ତ୍ର ଉପଖଣ୍ଡ କରାଯାଉ। ଏଥିସହିତ ଖମାର ଓ ପବିତ୍ରନଗର ଅଞ୍ଚଳକୁ ମିଶାଇ ନୂତନ ବ୍ଲକ ଗଠନ ହେଉ। ଯଦି ସରକାର ତାଳଚେରବାସୀଙ୍କ ନ୍ୟାଯ୍ୟ ଦାବି ପ୍ରତି ଆନ୍ତରିକତା ନ ଦେଖାନ୍ତି, ତା’ହେଲେ ଆଗାମୀ ଦିନରେ ତାଳଚେରବାସୀ ଆନ୍ଦୋଳନକୁ ଓହ୍ଲାଇବେ। ଏହି ସମୟରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଭୂତିଆ ଚେତାବନୀ ଦେଇଛନ୍ତି।