ମୃତ କର୍ମଚାରୀଙ୍କ ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ଦ୍ୱିତୀୟ ଦିନରେ ଧାରଣା

ଛତ୍ରପୁର,୧୮ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ମାଟିଖାଲସ୍ଥିତ ଭାରତୀୟ ବିରଳ ମୃତ୍ତିକା (ଆଇଆର୍‌ଇଏଲ୍‌)କମ୍ପାନୀର କର୍ମଚାରୀଙ୍କ ମୃତ୍ୟୁ ପରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ ଯୋଜନାରେ ନିଯୁକ୍ତି ଦେବାରେ ଅହେତୁକ ଅବହେଳା ଯୋଗୁ ମୃତକ ପରିବାର ସଦସ୍ୟମାନେ ମଙ୍ଗଳବାରଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନଙ୍କୁ ନିଯୁକ୍ତି ଦାବି ନେଇ ଭାରତୀୟ ବିରଳ ମୃତ୍ତିକା କମ୍ପାନୀ (ଆଇଆର୍‌ଇଏଲ୍‌)ର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି।
ଧାରଣାର ଦ୍ୱିତୀୟ ଦିନରେ ଅବ୍ୟାହତ ରହିଥିବା ବେଳେ ସେମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ବୁଧବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ସମିତିସଭ୍ୟ ତଥା ଶ୍ରମିକ ନେତା ଏସ୍‌ ଚକ୍ରପାଣି ଛତ୍ରପୁର ଏନ୍‌ଏସିର ପୂର୍ବତନ ନଗରପାଳ ତଥା ଆଇନଜୀବୀ ରାମଚନ୍ଦ୍ର ବେହେରା, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ଶ୍ରମିକ ନେତା ଅଜୟ କୁମାର ଚୌଧୁରୀ ସାମିଲ ହୋଇ ମୃତକଙ୍କ ପରିବାର ସଦସ୍ୟଙ୍କୁ କମ୍ପାନୀ ପକ୍ଷରୁ ତରନ୍ତ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ଦାବି କରିଥିଲେ। ଏହା ସହିତ ଆଇଆର୍‌ଇଏଲ କର୍ତ୍ତୃପକ୍ଷ ସହିତ ବିଧାୟକ ଆଲୋଚନା କରିଛନ୍ତି। ଏଥିରେ ବହୁ ଆନ୍ଦୋଳନକାରୀ ଉପସ୍ଥିତ ଥିଲେ। ଏ ସମ୍ବନ୍ଧରେ ଆଇଆର୍‌ଇଏଲ କମ୍ପାନୀର ମୁମ୍ବାଇସ୍ଥିତ ମୁଖ୍ୟଙ୍କୁ ଏକ ଚିଠି ମାଧ୍ୟମରେ ଛତ୍ରପୁର ବିଧାୟକ ଜଣାଇଛନ୍ତି। ମୃତକ ପରିବାର ସଦସ୍ୟଙ୍କ ପକ୍ଷରୁ ମଧ୍ୟ ବ୍ରହ୍ମପୁର ଏମ୍‌ପି, ଗଞ୍ଜାମ ଜିଲାପାଳ,ଅନ୍ୟାନ୍ୟ ଅଧିକାରୀ ଅଧିକାରୀଙ୍କୁ ଚିଠି ଯୋଗେ ସେମାନଙ୍କ ଦାବି ସଂକ୍ରାନ୍ତରେ ଜଣାଇଛନ୍ତି ବୋଲି ସେମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।