ଟାଟା-ବଡ଼ବିଲ ପାସେଞ୍ଜର ଟ୍ରେନ୍‌କୁ ବଲାଣୀ ଖାଦାନ ଷ୍ଟେଶନ ପର୍ଯ୍ୟନ୍ତ ସମ୍ପ୍ରସାରଣ ଦାବି

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଲାଣୀ ଖଣି ଅଞ୍ଚଳକୁ ରେଳସେବା ଯୋଗାଇ ଦେବାକୁ ଦୀର୍ଘବର୍ଷ ହେଲା ସ୍ଥାନୀୟ ଲୋକେ ଦାବି କରିଆସୁଛନ୍ତି। ସେଲ୍‌ ଅଧୀନରେ ବଲାଣୀରେ ଚାଲିଛି ଲୌହଖଣି। ଏଣୁ ଖଣି ଯୋଗୁ ସ୍ଥାନୀୟ ଲୋକ ଜମି, ଜଙ୍ଗଲ ହରାଇଥିବା ବେଳେ ପ୍ରଦୂଷଣ ଯନ୍ତାରେ ସଢୁଛନ୍ତି ଏବଂ ଏହି କାରଣରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉକ୍ତ ଖଣିରୁ ଲୁହାପଥର ପରିବହନ ପାଇଁ ରେଳପଥ ସଂଯୋଗ ହୋଇଛି। ଦୈନିକ ବହୁ ପରିମାଣରେ ଲୁହାପଥର ବଲାଣୀ ଖାଦାନ ଷ୍ଟେଶନରୁ ବାହାରକୁ ପରିବହନ ହୋଇଥାଏ। ବହୁ ସଂଖ୍ୟାରେ ଟ୍ରକ୍‌ ଚଳାଚଳ ଓ ବିପଦପୂର୍ଣ୍ଣ ରାସ୍ତାପଥ ଯୋଗୁ ଲୋକଙ୍କ ଯାତାୟାତ ସୁରକ୍ଷିତ ମଣୁନାହାନ୍ତି। ଏଣୁ ବଡ଼ବିଲ ପର୍ଯ୍ୟନ୍ତ ଆସୁଥିବା ଟାଟା-ବଡ଼ବିଲ ପାସେଞ୍ଜର ଟ୍ରେନ୍‌କୁ ବଲାଣୀ ଖାଦାନ ଷ୍ଟେଶନକୁ ସଂପ୍ରସାରଣ କରିବାକୁ ରେଳ ବିଭାଗ ମନ୍ତ୍ରୀ ଥିବା ଓଡିଶାର ରାଜ୍ୟସଭା ଏମ୍‌ପି ଅଶ୍ୱିନୀ ବୈଷ୍ଣବଙ୍କୁ ଦାବି ଜଣାଇ ବଲାଣୀ ବିକାଶ ପରିଷଦ ବୁଧବାର ଦାବିପତ୍ର ପଠାଇଛନ୍ତି। ରେଳ ବିଭାଗ ବଲାଣୀ ଖଣିରୁ ବାର୍ଷିକ ୧ ହଜାର କୋଟି ଟଙ୍କା ରାଜସ୍ବ ପାଉଛନ୍ତି। ଏଣୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କଲେ ଉକ୍ତ ଅଞ୍ଚଳର ଲୋକମାନେ ଉପକୃତ ହେବା ସହ ରେଳବାଇ ବିଭାଗ ଅଧିକ ରାଜସ୍ବ ପାଇବ ବୋଲି ପରିଷଦର ସାଧାରଣ ସଂପାଦକ ଶିବାଷିଶ ନନ୍ଦ କହିଛନ୍ତି।

ଏପରିକି ଆରଟିଆଇରେ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ଷ୍ଟେଶନରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରିପାରିବ ବୋଲି ସେ କହିଛନ୍ତି। ଏନେଇ ପୂର୍ବରୁ ବହୁବାର ରେଳବାଇ ବିଭାଗକୁ ଦାବି ଜଣାଇଆସିଥିଲେ ହେଁ କେବଳ ଆଶ୍ୱାସନା ମିଳିଛି। ଏଣୁ ନିରାଶ ହୋଇ ରେଳମନ୍ତ୍ରୀଙ୍କୁ ନିବେଦନ କରାଯାଇଥିବା ସେ କହିଛନ୍ତି। ଦୁଇ ମାସ ମଧ୍ୟରେ କୌଣସି ସୁବ୍ୟବସ୍ଥା ନ କରାଗଲେ ବାଧ୍ୟ ହୋଇ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।