ସପ୍ତମ ବେତନ ମୋଡାଲିଟି ସଂଶୋଧନ କାର୍ଯ୍ୟକାରୀ କରିବାକୁ ଦାବି

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ନୂତନ ଅନୁଦାନପ୍ରାପ୍ତ ସ୍କୁଲ କଲେଜକୁ ସପ୍ତମ ବେତନ ପ୍ରଦାନ ପାଇଁ କ୍ୟାବିନେଟ୍‌ ମଞ୍ଜୁର କରି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡ଼ିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଏହାକୁ ତ୍ରୁଟିପୂର୍ଣ୍ଣ ଦର୍ଶାଯାଇଥିଲା। ତେବେ ଏହି ବିଜ୍ଞପ୍ତିରେ ସଂଶୋଧନ ନିମନ୍ତେ ସରକାର ଓ ସମନ୍ବୟ ସମିତି ମଧ୍ୟରେ ଏକ ବୁଝାମଣା ଅନୁଷ୍ଠିତ ହୋଇଥିଲା। ତେବେ ପରିବର୍ତ୍ତିତ ନିଷ୍ପତ୍ତିକୁ ୧୧ ମାସ ବିତିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇ ନ ଥିବା ସମିତି ପକ୍ଷରୁ ଅଭିଯୋଗ ହୋଇଛି। ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସମିତି ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି ଏନେଇ ସୂଚନା ଦେବା ସହ ତୁରନ୍ତ ଏହି ସମସ୍ୟାର ସମାଧାନ ନ ହେଲେ ସଂଘ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।
ରାଜ୍ୟରେ ୯୧୬ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୨୬୦୮ ମାଧ୍ୟମିକ ବିଦ୍ୟାଳୟ, ୬୬୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୪୮୮ ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ବିଭିନ୍ନ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ଚାକିରି ସର୍ତ୍ତାବଳୀ, ଅବସରକାଳୀନ ସୁବିଧା ଆଦି ସୁବିଧା ପାଇପାରୁନାହାନ୍ତି। ନିକଟରେ ସରକାରୀ ଶିକ୍ଷାନୁଷ୍ଠାନରୁ ଚୁକ୍ତିଭିତ୍ତିକ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଥିଲେ ମଧ୍ୟ ରାଜ୍ୟର ୨ଲକ୍ଷ ୮୦ ହଜାର ଠିକା କର୍ମଚାରୀଙ୍କ ମଧ୍ୟରୁ ମାତ୍ର ୫୭ ହଜାର କର୍ମଚାରୀ ଉପକୃତ ହେବେ। ତେଣୁ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ସୃଷ୍ଟି ହୋଇଥିବା ସମସ୍ୟାକୁ ତୁରନ୍ତ ସପ୍ତମ ମୋଡାଲିଟିରେ ଥିବା ଅସଙ୍ଗତିକୁ ସଂଶୋଧନ କରି ବିଜ୍ଞପ୍ତି ପ୍ରକାଶ କରିବାକୁ ସେମାନେ ଦାବି କରିଛନ୍ତି।

Share