Categories: ଜାତୀୟ

ଭାରତୀୟ ପ୍ରତିଭାଙ୍କ ଚାହିଦା ପୃଥିବୀରେ ବୃଦ୍ଧି ପାଉଛି: ମୋଦି

ନୂଆଦିଲ୍ଲୀ,୩।୩: ଭାରତୀୟ ପ୍ରତିଭାଙ୍କ ଚାହିଦା ପୃଥିବୀରେ ବଢ଼ିଚାଲିଛି। ଏହା ଭାରତର ଗୁଣବତ୍ତାକୁ ସୂଚିତ କରୁଛି। ବୁଧବାର ଶିକ୍ଷା,ଅନୁସନ୍ଧାନ ଓ କୌଶଳ ବିକାଶ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଅନ୍‌ଲାଇନ୍‌ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ଆତ୍ମନିର୍ଭର ଭାରତ ଗଠନ ପାଇଁ ମନରେ ଆତ୍ମବିଶ୍ୱାସ ରହିବା ଜରୁରି ବୋଲି ସେ କହିଛନ୍ତି। ଶିକ୍ଷା ସମାପ୍ତପରେ ନିଯୁକ୍ତି ସୁଯୋଗ ମିଳିଲେ ଯୁବବର୍ଗଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ଜାତୀୟ ଶିକ୍ଷାନୀତି ପ୍ରସ୍ତୁତ ହୋଇଛି। ଏହା ଶିକ୍ଷାର୍ଥୀଙ୍କ ସ୍ବପ୍ନକୁ ପୂରଣ କରିବାକୁ ସକ୍ଷମ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍କୁଲ ଶିକ୍ଷାର ବିକାଶ ପାଇଁ ପ୍ରଥମ ଥର ଲାଗି ଅଟଳ ଟିଙ୍କରିଙ୍ଗ୍‌ ଲ୍ୟାବ୍‌ ସ୍ଥାପନ କରାଯାଇଛି। ସେହିପରି ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଟଳ ଇନକ୍ୟୁବେଶନ ସେଣ୍ଟର ସ୍ଥାପନା କରାଯାଇଛି। ଷ୍ଟାର୍ଟ ଅପ୍‌ ଗୁଡ଼ିକ ଲାଗି ଏବେ ଦେଶରେ ହାକାଥନ୍‌ ପରମ୍ପରା ସୃଷ୍ଟି ହୋଇଛି। ଏହାଦ୍ୱାରା ଯୁବବର୍ଗ ଏବଂ ଶିଳ୍ପସଂସ୍ଥା ବେଶ୍‌ ଉପକୃତ ହେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Share