ସବୁ ଜିଲାରେ ସକାଳୁଆ ସ୍କୁଲ ପାଇଁ ଦାବି

ଭୁବନେଶ୍ୱର,୨୧।୬(ଅନୁରାଧା ମହାରଣା): ରାଜ୍ୟର କିଛି ଜିଲାକୁ ବାଦ୍‌ଦେଇ ପ୍ରାୟ ସମସ୍ତ ଜିଲାର ସ୍କୁଲ ବୁଧବାରଠାରୁ ଖୋଲୁଛି। ନିୟମିତ କାର୍ଯ୍ୟସୂଚୀ ଅନୁସାରେ, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ହେଲେ ଏହାକୁ ନୂତନ ପେନ୍‌ଶନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ବିରୋଧ କରିଛି। ରାଜ୍ୟରେ ତାପମାତ୍ରା ହ୍ରାସ ନ ହେବା ପର୍ଯ୍ୟନ୍ତ ସ୍କୁଲ ସମୟକୁ ସକାଳ ୬ଟାରୁ ସାଢ଼େ ୯ଟା କରାଯିବା ପାଇଁ ସଂଘ ଦାବି କରିଛି। ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି, ଏବେ ଦିନ ୧୦ଟାରୁ ୪ଟା ମଧ୍ୟରେ ଘରୁ ବାହାରିବା ସମ୍ଭବ ହେଉନାହିଁ। ପାଣିପାଗ ବିଭାଗର ସୂଚନାନୁସାରେ, ମଙ୍ଗଳବାର ଉପକୂଳବର୍ତ୍ତୀ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ସକାଳ ୯ଟାରୁ ବିଭିନ୍ନ ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା। ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର କେତେକ ଜିଲାର ସ୍କୁଲ ଛୁଟିକୁ ୨୨ ଏବଂ ୨୪ ତାରିଖ ପର୍ଯ୍ୟନ୍ତ ବଢ଼ାଇଥିବାବେଳେ କିଛି ଜିଲାରେ ସକାଳୁଆ ସ୍କୁଲ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ସଂଘ ସ୍ବାଗତ କରୁଥିବାବେଳେ ଅନ୍ୟ ଅଞ୍ଚଳରେ ମଧ୍ୟ ସକାଳୁଆ ସ୍କୁଲ କରିବା ପାଇଁ ସେ ଦାବି କରିଛନ୍ତି। ସଂଘର ସାଧାରଣ ସଂପାଦକ ଅମରେନ୍ଦ୍ର ସ୍ବାଇଁ କହିଛନ୍ତି, ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଅଧିକାଂଶ ସ୍କୁଲ ଘର ଆଜବେଷ୍ଟସ କିମ୍ବା ଏକ ମହଲା ଛାତ ବିଶିଷ୍ଟ। ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହରେ ବିଦ୍ୟୁତ୍‌ ସଂଯୋଗ ବା ପଙ୍ଖାର ସୁବିଧା ନାହିଁ। କିଛି ଉପାନ୍ତ ଅଞ୍ଚଳର ବିଦ୍ୟୁତ୍‌ ସୁବିଧା ନ ଥିବା ବିଦ୍ୟାଳୟରେ ଛାତ୍ରୀଛାତ୍ର ଦିନ ୧୦ଟାରୁ ୪ ପର୍ଯ୍ୟନ୍ତ ସ୍କୁଲ୍‌ରେ ରହି ପାଠପଢ଼ିଲେ ଅଂଶୁଘାତର ଭୟ ରହୁଛି। ତେଣୁ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି। ସଂଘର ମହାସଚିବ ବିଶ୍ୱଜିତ ବିଶ୍ୱାଳ, କୋଷାଧ୍ୟକ୍ଷ ପଞ୍ଚାନନ ଜେନା, ମିଡ଼ିଆ ସମ୍ପାଦକ ଚନ୍ଦ୍ରକାନ୍ତ ପଣ୍ଡା ଏବଂ ଆବାହକ ନିରୋଦ ରଥ ପ୍ରମୁଖ ସରକାରଙ୍କ ଉଦ୍ଦେଶ୍ୟରେ ସମାନ ଦାବି ଉପସ୍ଥାପନ କରିଛନ୍ତି।

Share