ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ରାଜ୍ୟ ସଭାକୁ ମନୋନୀତ କରାଯାଉ

ସମ୍ବଲପୁର,୧ା୨(ବି.ଶଙ୍କର): ସମ୍ବଲପୁରୀ ଲୋକଗୀତ ରଙ୍ଗବତୀ ବିଶ୍ୱର କୋଣ ଅନୁକୋଣରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ଗୀତ ସମ୍ବଲପୁର ସମେତ ରାଜ୍ୟ ଓ ଦେଶର ଗୌରବକୁ ବୃଦ୍ଧି କରିଛି। କିନ୍ତୁ ପରିତାପର ବିଷୟ ରଙ୍ଗବତୀ ଗୀତର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି। ଅନ୍ୟ ରାଜ୍ୟରେ କଳାକାରଙ୍କୁ ସମ୍ମାନର ସହ ରାଜ୍ୟ ସଭାକୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦିଆଯାଉଛି। କିନ୍ତୁ ଓଡ଼ିଶାରେ କଳାକାରଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ।

ସମ୍ବଲପୁରୀ ଗାୟକ ସମ୍ରାଟ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ରାଜ୍ୟ ସଭାକୁ ମନୋନୀତ କରିବାକୁ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଦାବି କରାଯାଇଛି। ଗୁରୁବାର ସମ୍ବଲପୁର ସାମ୍ବାଦିକ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପରିଷଦର ଅଧ୍ୟକ୍ଷ ନିହାଲ ସିଂ କହିଛନ୍ତି ଯେ, ଆଗାମୀ ଦିନରେ ରାଜ୍ୟ ସଭା ନିର୍ବାଚନ ହେବାକୁ ଥିବାବେଳେ ଦଳମତ ନିର୍ବିଶେଷରେ ପଦ୍ମଶ୍ରୀ ଜିତେନ୍ଦ୍ରଙ୍କୁ ରାଜ୍ୟ ସଭା ପାଇଁ ମନୋନୀତ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ। ଆସନ୍ତା ୧୨ ତାରିଖ ମଧ୍ୟରେ ପଦକ୍ଷେପ ନିଆ ନ ଗଲେ ୧୩ରେ ପରିଷଦ ପକ୍ଷରୁ ପଶ୍ଚିମ ଓଡ଼ିଶାର ସମସ୍ତ କଳାକାର ଓ କଳାପ୍ରେମୀଙ୍କୁ ନେଇ ଆର୍‌ଡିସି କାର୍ଯ୍ୟାଳୟ ଘେରାଉ କରି ଧାରଣା ଦିଆଯିବ। ଖବରଦାତା ସମ୍ମିଳନୀରେ ପରିଷଦର ଉପମହାସଚିବ ଶେଖ ଇନ୍ତେଖାପ, ଜିଲା ସହ ସଂଯୋଜକ ପ୍ରଦିପ କୁମ୍ଭାର ମଞ୍ଚାସୀନ ଥିଲେ ।

Share