Categories: ଜାତୀୟ

ମଣିପୁରରେ ରାଷ୍ଟ୍ରପତି ଶାସନ ଦାବି

ଗୁଆହାଟୀ, ୭ା୭:ହିଂସାକାଣ୍ଡ ଯୋଗୁ ଦୀର୍ଘ ଦୁଇ ମାସ ହେଲା ବନ୍ଦ ଥିବା ମଣିପୁର ସ୍କୁଲ୍‌ ଖୋଲିବାର ଦିନକ ପରେ ଗୁରୁବାର ସକାଳେ ଇମ୍ଫାଲ ଇଷ୍ଟ ଜିଲାର ଏକ ସ୍କୁଲ୍‌ ବାହାରେ ଜଣେ ମହିଳାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଶିଶୁ ନିଷ୍ଠା ନିକେତନ ସ୍କୁଲ ବାହାରେ ଏହି ଗୁଳିକାଣ୍ଡ ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳି ନ ଥିବା ପୋଲିସ କହିଛି। ତାଙ୍କ ପରିଚୟ ଖୋଜିବା ସହ ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ତନାଘନା ଚଳାଇଛି।
ମହିଳାଙ୍କୁ ହତ୍ୟା ଘଟଣା ପରେ ହିଂସାପ୍ରବଣ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ପାଇଁ ଆଦିବାସୀ ସଂଗଠନ ପକ୍ଷରୁ ଦାବି ହୋଇଛି। ଇଣ୍ଡିଜେନିଅସ୍‌ ଟ୍ରାଇବାଲ ଲିଡର୍ସ ଫୋରମ୍‌(ଆଇଟିଏଲ୍‌ଏଫ୍‌) ନାମକ ଏହି ସଂଗଠନ ମୃତ ମହିଳାଙ୍କୁ ଚିହ୍ନଟ କରିଛି। ଡୋନଗାଇଚିଙ୍ଗ ନାମ୍ନୀ ଏହି ମହିଳା ମାନସିକ ବିକୃତ ଏବଂ ଭିକ୍ଷାବୃତ୍ତି କରି ଚଳୁଥିଲେ ବୋଲି ଉକ୍ତ ସଂଗଠନ କହିଛି। ରାଜ୍ୟର ଅସମର୍ଥ ସରକାରଙ୍କୁ ହଟାଇ ସେଠାରେ ତୁରନ୍ତ ରାଷ୍ଟ୍ରପତି ଶାସନ ଜାରି କରାଯାଉ ବୋଲି ଆଇଟିଏଲ୍‌ଏଫ୍‌ ଏକ ବିବୃତିରେ କହିଛି। ସୂଚନାଯୋଗ୍ୟ, ମେ’ ୩ରୁ ମଣିପୁରରେ ହିଂସାକାଣ୍ଡ ଲାଗିରହିଥିବାବେଳେ ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯିବା ସହ ୩,୦୦୦ ଆହତ ହୋଇଛନ୍ତି।

Share