ପୁନଃ ଭୋଟଗଣତି ଦାବିରେ ଗଣଧାରଣା

ସିମୁଳିଆ, ୪।୩(ଡି.ଏନ.ଏ.) – ବାଲେଶ୍ୱର ଜିଲା ସିମୁଳିଆ-ଖଇରା ନିର୍ବାଚନମଣ୍ଡଳୀ ଅଧୀନ ସିମୁଳିଆ ବ୍ଲକ ୪୦ନଂ. ଜୋନ୍‌ ମାର୍କୋଣା ପଞ୍ଚାୟତରେ ପୁନଃ ଭୋଟଗଣନା ଦାବିରେ ଗୁରୁବାର ସରପଞ୍ଚ ପ୍ରାର୍ଥୀ ପ୍ରଦୀପ କୁମାର ବେହେରା ଓ ସମିତିସଭ୍ୟା ପ୍ରାର୍ଥତ୍ନୀ ଦୀପାଲି ସାହୁ ନିଜର ଶତାଧିକ ସମର୍ଥକମାନଙ୍କ ସହିତ ସିମୁଳିଆ ବ୍ଲକ ଫାଟକ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି। ପୁନଃ ଭୋଟଗଣନା, ସିସିଟିଭି ଯାଞ୍ଚ, ନିର୍ବାଚନ ଅଧିକାରୀ ବିଡିଓ ସୁଧୀର କୁମାର ସିଂଙ୍କୁ ଗିରଫ ଓ ନିଲମ୍ବନ କରା ନ ଯିବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଅପରପକ୍ଷେ ବ୍ଲକ ଫାଟକରେ ତାଲା ପକାଯିବା ଯୋଗୁ ବ୍ଲକ କାର୍ଯ୍ୟାଳୟ ଭିତରକୁ କୌଣସି ଅଧିକାରୀ ପଶି ନ ପାରିବାରୁ ଅଫିସ କାର୍ଯ୍ୟ ଠପ୍‌ ହୋଇଯାଇଛି।
୨ଦିନ ପୂର୍ବରୁ ଏଭଳି ଗଣଧାରଣା ଦିଆଯାଇଥିଲା। ବାଲେଶ୍ୱର ପିଡି ରବୀନ୍ଦ୍ର ସାହୁ ପହଞ୍ଚତ୍ ସିମୁଳିଆ ଥାନା ଅଧିକାରୀ ଜୟନ୍ତ କୁମାର ବେହେରା, ତହସିଲଦାର ରବିନାରାୟଣ ସାହୁ , ବିଡିଓ ସୁଧୀର କୁମାର ସିଂଙ୍କ ସହିତ ଆଲୋଚନା କରି ଫେରିଯାଇଥିଲେ। ତେବେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ତେବେ ୨ଦିନ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ବିଜେଡି ପକ୍ଷରୁ ଗଣଧାରଣା ଦିଆଯାଇଛି। ଏ ସମ୍ପର୍କରେ ପିଡି ରବୀନ୍ଦ୍ର ସାହୁଙ୍କୁ ପଚାରିବାରୁ ଜିଲାପାଳଙ୍କ ନିର୍ଦ୍ଦେଶ ପରେ ଯାହା କିଛି କରାଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି।