କୋକସରା,୨୨ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଓଡ଼ିଶା ସରକାରଙ୍କ ପକ୍ଷରୁ ଗତ ୧୪ା୧୧ା୨୩ କ୍ୟାବିନେଟ୍ ରେଜୁଲେଶନ ୨ରେ ଆଦିବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ବିକ୍ରି କରିବା ପ୍ରସଙ୍ଗରେ ନିଆ ଯାଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହୃତ କରିବା ପାଇଁ ଓଡ଼ିଶାରେ ଆଦିବାସୀଙ୍କ ମଧ୍ୟରେ ତୀବ୍ର ବିରୋଧ ଦେଖାଦେଇଛି। ବୁଧବାର ଏହି ସଂକ୍ରାନ୍ତରେ କୋକସରା ବ୍ଲକ ଆଦିବାସୀ ସଂଘ ପକ୍ଷରୁ ଏକ ଦାବିପତ୍ର ଓଡ଼ିଶାର ମହାମହୀମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କୋକସରା ଅତିରିକ୍ତ ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଛି। କୋକସରା ବ୍ଲକ ଆଦିବାସୀ ସଂଘର ସଭାପତି ହେମନ୍ତ ମାଝିଙ୍କ ନେତୃତ୍ୱରେ ଜିଲା ସମ୍ପାଦକ ଋତୁରାଜ ମାଝି, ବ୍ଲକ ସମ୍ପାଦକ ତ୍ରିନାଥ ଶବର, ସହ ସମ୍ପାଦକ ଦୈତାରୀ ଭୋଇ, ଜିଲା ଉପସଭାପତି ନୀଳକଣ୍ଠ ମାଝି, ବ୍ଲକ ଉପସଭାପତି ଜୟଲାଲ ନାଏକ, ବାହାଦୂର ମାଝି, ବିଶ୍ୱନାଥ ମାଝି, ଧର୍ମାନନ୍ଦ ନେଗି, ଗଜାନନ ମାଝି, ଘନଶ୍ୟାମ ନାଏକ, ମୁକ୍ତେଶ୍ୱର ନାଏକ, ଦେବେନ୍ଦ୍ର ଧରୁଆ ଓ ୨୨ ପଞ୍ଚାୟତର ଅନ୍ୟ କର୍ମକର୍ତ୍ତା ସାମିଲ ହୋଇଥିଲେ। ରାଜ୍ୟ ସରକାର ଯଦି ଆଦିବାସୀଙ୍କ ଜମି ବିକ୍ରି ଉପରେ ଦେଇଥିବା ନିଷ୍ପତ୍ତି ପ୍ରତ୍ୟାହୃତ ନ କରନ୍ତି ତାହେଲେ ଆଗାମୀ ଦିନରେ ଆଦିବାସୀ ସଂଘ ପକ୍ଷରୁ ଜନ ଆନ୍ଦୋଳନ କରାଯିବ ଓ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଳି ଚେତାବନୀ ଦିଆଯାଇଛି।