ଗାଁକୁ ରାସ୍ତା ସଂଯୋଗ ଦାବି

ଅନୁଗୋଳ ଅଫିସ, ୨୮ା୨: ଅନୁଗୋଳ ଜିଲା ଦେଇ ଯାଉଥିବା ନଂ ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ପରେ ଉଭୟ ପାର୍ଶ୍ୱରେ ଥିବା ଲୋକମାନେ ଅଡ଼ୁଆରେ ପଡ଼ୁଛନ୍ତି। ଏଭଳି କି ଗାଁକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ବିଶେଷକରି ରାସ୍ତାର ଉଭୟ ପାର୍ଶ୍ୱରେ ଡ଼୍ରେନ୍‌ ନିର୍ମାଣ ହେଉଥିବାରୁ ଗାଁକୁ ସଂଯୋଗ ବିଚ୍ଛିନ୍ନ ହେଉଛି। ଉକ୍ତ ଡ୍ରେନ୍‌ ଉପରେ ପୋଲ ନିର୍ମାଣ କରି ରାସ୍ତାକୁ ସଂଯୋଗ କରିବା ପାଇଁ ବଅଁରପାଳ ବ୍ଲକର ନୂଆହତା ଗ୍ରାମବାସୀ ଦାବି କରିଛନ୍ତି। ସୋମବାର ଜିଲାପାଳଙ୍କ ନିକଟରେ ଗ୍ରାମବସୀ ଲିଖିତ ଭାବେ ଏହି ଦାବିପ୍ରଦାନ କରିଛନ୍ତି। ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ନୂଆ ଡ୍ରେନ୍‌ କାର୍ଯ୍ୟ କରାଯାଉଛି। ଫଳରେ ଗ୍ରାମବାସୀ ରାସ୍ତାକୁ ବାହାରିବା ପାଇଁ ସମସ୍ୟା ହେଉଛି। କେବଳ ରାସ୍ତାକୁ ବାହାରିବାକୁ ନୁହେଁ, ବିଦ୍ୟାଳୟକୁ ଛାତ୍ରୀଛାତ୍ରମାନେ ଯିବା ଆସିବା କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ୁଛି। ଜରୁରି ପରିସ୍ଥିତିରେ ଡାକ୍ତରଖାନାକୁ ରୋଗୀଙ୍କୁ ନେବା ପାଇଁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସେମାନେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।