
ଉଦଳା,୧୩ା୪(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଶାଳଖୁଣ୍ଟା ଏସ୍ଏସ୍ଡି ଆଶ୍ରମ ବିଦ୍ୟାଳୟରେ ରବିବାର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମାତ୍ର ୩ ଫୁଟ୍ ଉଚ୍ଚରେ ଥିବା ବାଉଁଶରୁ ତାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଦୁନିଆ କ’ଣ ଭଲଭାବେ ଜାଣି ନ ଥିବା ଜଣେ କୋମଳମତି ଛାତ୍ରୀ ଆତ୍ମହତ୍ୟା କରିବା କଥାକୁ କେହି ଗ୍ରହଣ କରିପାରୁନାହାନ୍ତି। ତାଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ମୃତା ଛାତ୍ରୀଙ୍କ ବାପା ସୁଶାନ୍ତ ମଢ଼େଇ ଥାନାରେ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା(ନଂ.୧୪୦/୨୫) ରୁଜୁ କରି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ନ୍ୟାୟ ପ୍ରଦାନ ଦାବିରେ ପରିବାର ଲୋକେ ମୃତଦେହ ନେଇ ନ ଥିଲେ। ଫଳରେ ୧୭ ଘଣ୍ଟାରୁ ଅଧିକ ହେବ ମେଡ଼ିକାଲରେ ମୃତଦେହ ପଡ଼ି ରହିଥିଲା। ବିଭାଗୀୟ ଅଧିକାରୀଙ୍କ ବୁଝାଶୁଝା ସହ ୨ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାର ପ୍ରତିଶ୍ରୁତି ଦେବାପରେ ପରିବାର ଲୋକେ ମୃତଦେହ ଘରକୁ ନେଇଥିବା ଜଣାପଡିଛି। ଅନ୍ୟପକ୍ଷେ ଘଟଣାର ଉର୍ଚ୍ଚସ୍ତରୀୟ ତଦନ୍ତ ଦାବି କରିଶ୍ର ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।
ଜିଲା ମଙ୍ଗଳ ଅଧିକାରୀ ଗୁରୁ ଚରଣ ମଲ୍ଲିକ, ଉଦଳା ବିଡିିଓ ସମରଜିତ କର, ପ୍ରକଳ୍ପ ପ୍ରଶାସକ ନରେନ୍ଦ୍ର ଖମାରି, ତହସିଲଦାର ସୁପ୍ରଭା ଦାସଙ୍କ ସମେତ ଶିଶୁ ମଙ୍ଗଳ ଅଧିକାରୀ ପହଞ୍ଚି ମୃତା ଛାତ୍ରୀଙ୍କ ପରିବାର ବର୍ଗଙ୍କ ସହିତ ଆଲୋଚନା କରିଥିଲେ।
ସୂଚନା ଅନୁଯାୟୀ, ଶାଳଖୁଣ୍ଟା ଏସ୍ଏସ୍ଡି ବିଦ୍ୟାଳୟରେ କପ୍ତିପଦା ବ୍ଲକ ଅଧୀନ ପଦ୍ମପୋଖରୀ ଗଁାର ସୁଶାନ୍ତଙ୍କ ଝିଅ କାନ୍ଦରୀ(୮) ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରୀ ଖାଦ୍ୟ ଖାଇବା ପାଇଁ ଯାଉଥିଲେ। ଏହି ସମୟରେ କାନ୍ଦରୀଙ୍କ ମୃତଦେହ ୩ ଫୁଟ୍ ଉଚ୍ଚ ଏକ ବାଉଁଶରେ ଝୁଲୁଥିବା ସାଙ୍ଗମାନେ ଦେଖିଥିଲେ।
ଖବରପାଇ ହଷ୍ଟେଲ ମାଟ୍ରୋନ ଦୁଲାରୀ ହଁାସଦା ପହଞ୍ଚି ଅନ୍ୟ ଛାତ୍ରୀମାନଙ୍କ ସହିତ ମିଶି କାନ୍ଦରୀଙ୍କୁ ଉଦ୍ଧାର କରିଥିଲେ। ପରେ ପ୍ରଧାନଶିକ୍ଷକ ବୃନ୍ଦାବନ ପୃଷ୍ଟି ଏବଂ ମାଟ୍ରୋନ କାନ୍ଦରୀଙ୍କୁ ଉଦଳା ହସ୍ପିଟାଲ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଲୋକେ ଡାକ୍ତରଖାନାରେ ପହଞ୍ଚି ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ। ଏନେଇ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା। ଏପରିକି ହଷ୍ଟେଲ କର୍ତ୍ତୃପକ୍ଷ, ମାଟ୍ରୋନ ଏବଂ ପ୍ରଧାନ ଶିକ୍ଷକଙ୍କ ଅବହେଳା ପାଇଁ ଏଭଳି ଘଟଣା ଘଟିଥିବା ମୃତା ଛାତ୍ରୀଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି।