ଭବାନୀପାଟଣା,୨୨ା୨(ଉତ୍ତମ କୁମାର ଦାଶ):ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟରେ ବଡିର ସ୍ବତନ୍ତ୍ର ସ୍ଥାନ ରହିଛି। ପଶ୍ଚିମ ଓଡ଼ିଶାରେ ତିଆରି ବଡିର ସ୍ବାଦ ନିଆରା। ବର୍ତ୍ତମାନ କଳାହାଣ୍ଡି ଜିଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗୃହିଣୀମାନଙ୍କ ବଡି ପକା ଶେଷ ପର୍ଯ୍ୟାୟରେ ରହିଛି। ସାଧାରଣତଃ ଶୀତ ଦିନରେ ଅର୍ଥାତ ଡିସେମ୍ବରରୁ ଫେବୃଆରୀ ମାସ ମଧ୍ୟରେ ବଡି ତିଆରି କରାଯାଏ। ଆଉ ଏହାକୁ ତିଆରିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ଗୃହିଣୀମାନେ। ପଶ୍ଚିମ ଓଡିଶାର ବିଭିନ୍ନ ପ୍ରକାର ବଡି ମଧ୍ୟରେ ଆଖୁ ବଡି, କଖାରୁ ବଡି, ଭଜା ବଡି, ଝୁଡୁଙ୍ଗ ବଡି, ଫୁଲ ବଡି, ଲିଆ ବଡି, ମୁଗ ବଡି, କଟିଙ୍ଗ ବଡି, ଚିନାବାଦମ ବଡି ଅନ୍ୟତମ। ଆଖୁ ବଡି ତିଆରି ପାଇଁ ପ୍ରଥମେ ଆଖୁକୁ ଖଣ୍ଡ ଖଣ୍ଡ କରାଯାଇ ଚଞ୍ଛା ଯିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବିରି ଚକଟା ସହ ମିଶାଇ ବଡି ପ୍ରସ୍ତୁତ କରାଯାଇଥାଏ। ପରେ ତାହାକୁ ଖରାରେ କିଛି ଦିନ ଶୁଖାଇବା ପରେ ଏହି ବଡି ପ୍ରସ୍ତୁତ ହୋଇଥାଏ। କଳାହାଣ୍ଡିରେ ଆଖୁ ବଡିର ଚାହିଦା ଅଧିକ ରହିଛି। ଅଞ୍ଚଳରେ ଖାଦ୍ୟପେୟର ଏକ ଅଭିନ୍ନ ଅଙ୍ଗ ହେଉଛି ବଡି ବୋଲି ଧର୍ମଗଡ଼ ଓ ଭବାନୀପାଟଣା ସହରର ଗୃହିଣୀ ଗୋମନୀ ହାତୀ ଓ ମମତା ତ୍ରିପାଠୀ କହନ୍ତି।
ତେବେ ବଡି ଯେ କେବଳ ଦୈନିନ୍ଦିନ ଖାଦ୍ୟ ଭାବରେ ବ୍ୟବହାର କରାଯାଏ ତା’ ନୁହେଁ, ଏହା ପଛରେ ରହିଛି ଅନେକ କାହାଣୀ। ଝିଅ ବାହା କରିବା ସମୟରେ ବଡିର ନିହାତି ଆବଶ୍ୟକତା ରହିଥାଏ। କାରଣ ବଡିକୁ ଝିଅ ସାଥିରେ ନିଜ ଶାଶୁ ଘରକୁ ନେବା ପାଇଁ ଯୌତୁକରେ ଦିଆଯାଇଥାଏ। ଏହାର ବର୍ଣ୍ଣ ଶ୍ୱେତ ହୋଇଥିବାବେଳେ ଏହାକୁ ଶୁଭ ଓ ଶାନ୍ତିର ପ୍ରତୀକ ବୋଲି କିମ୍ବଦନ୍ତି କହେ। ଆଉ ଯୌତୁକରେ ବଡି ଦେବା ଦ୍ବାରା ଘରେ ଶୁଖ ଶାନ୍ତି ଆସିଥାଏ ବୋଲି ମଧ୍ୟ ବିଶ୍ବାସ ରହିଛି। ଏହାସହିତ ଜଣେ ମା’ ଛୁଆ ଜନ୍ମ କଲା ପରେ ସେହି ପ୍ରସୂତି ମା’ଙ୍କୁ କେବଳ ବଡି ତରକାରୀ ରନ୍ଧାଯାଇ ଦିଆଯାଇଥାଏ। କାରଣ ଶିଶୁ ଯେତେବେଳେ ମା’ କ୍ଷୀର ଖାଇଥାଏ ସେଥିରେ ମା’ ଖାଉଥିବା ସମସ୍ତ ଜିନିଷ ଛୁଆ ଗ୍ରହଣ କରେ। ଖାଦ୍ୟପେୟରେ ତେଲ ମସଲାଜାତୀୟ ଖାଦ୍ୟ ଦିଆଯିବା ଦ୍ବାରା ଛୁଆ ଉପରେ ପ୍ରଭାବ ପଡିବା ଆଶଙ୍କା ରହିଥାଏ। ଏହାଛଡା ବଡି ଏକ ସଂରକ୍ଷଣ ଖାଦ୍ୟ। ପୂର୍ବକାଳରେ ପନିପରିବାକୁ ଶୁଖାଇ ମାସ ମାସ ଧରି ରଖାଯାଉଥିଲା। ପରବର୍ତ୍ତି ସମୟରେ ତାକୁ ପାଣିରେ ଭିଜାଇ ପୁନର୍ବାର ରନ୍ଧା ଯାଉଥିଲା। ସେହିପରି ବଡିକୁ ମଧ୍ୟ ବର୍ଷ ବର୍ଷ ଧରି ସଂରକ୍ଷଣ କରାଯାଇଥାଏ। ଫଳରେ ପନିପରିବା ମହଙ୍ଗା କିମ୍ବା ଅଭାବ ସମୟରେ ବଡି ତାହା ପୂରଣ କରିଥାଏ। ଯେଉଁ ଘରେ ବଡି ରହିଥାଏ ସେଠି ମା’ ଲକ୍ଷ୍ମୀଙ୍କ ଉପସ୍ଥିତି ରହିବା ବିଶ୍ବାସ ରହିଛି ବୋଲି ଯୁବ ଗବେଷକ ମାନସ ମୁଣ୍ଡ ପ୍ରକାଶ କରନ୍ତି। ବର୍ତ୍ତମାନ ସମୟରେ ଅତ୍ୟାଧୁନିକ ଖାଦ୍ୟ ବ୍ୟବସ୍ଥା ବଡିର ଚାହିଦାକୁ କମାଇ ଦେଇଛି ସତ, ହେଲେ ବଡିର ବିକଳ୍ପ ଏଯାବତ ତିଆରି ହୋଇନାହିଁ।