ବଲାଙ୍ଗୀର ଅଫିସ,୧୫ା୨: ଓଡ଼ିଶା ସରକାରୀ ହାଇସ୍କୁଲ ଏନ୍ପିଏସ୍ ଶିକ୍ଷକ ସଂଘ ଜିଲା ପକ୍ଷରୁ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ରାଜ୍ୟ ସରକାର ଘୋଷିତ ‘ରିପିଲ ଆଣ୍ଡ୍ ସ୍ପେଶାଲ ପ୍ରୋଭିଜନ ରୁଲ୍ସ’ ୨୦୨୨ କାର୍ଯ୍ୟକାରୀ କରିବା ଦାବି ନେଇ ଜିଲାର ବହୁ ହାଇସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀ ଧାରଣାରେ ବସିଥିଲେ। ଚୁକ୍ତିଭିତ୍ତିକ ଶିକ୍ଷକ ପଦବୀ ଉଚ୍ଛେଦ କରାଯାଇ ସେମାନଙ୍କୁ ସରକାରୀ ନିୟମିତ ଶିକ୍ଷକ ମର୍ଯ୍ୟାଦା ଦେବାକୁ ଏହି ଘୋଷଣା କରାଯାଇଥିଲା। ଏହାଦ୍ବାରା ଚୁକ୍ତିଭିତ୍ତିକ ନିଯୁକ୍ତି ନୀତି ୨୦୧୩କୁ ରଦ୍ଦ କରାଯାଇଥିବା ଘୋଷଣା କରାଯାଇଥିଲା। ମାତ୍ର ସରକାରଙ୍କ ଘୋଷଣାର ସୁଫଳ ଶିକ୍ଷକମାନେ ପାଉନାହାନ୍ତି ବୋଲି ଅଭିଯୋଗ କରି ଶିକ୍ଷକ ଶିକ୍ଷୟିତ୍ରୀମାନେ ଧାରଣାରେ ବସିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।