ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଲଖନା ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ନାଏବ ସରପଞ୍ଚ ଓ ୱାର୍ଡ ସଭ୍ୟାସଭ୍ୟ ଶୁକ୍ରବାର ଉପଜିଲାପାଳ ଯୋଗେନ୍ଦ୍ର ମାଝିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଉଲ୍ଲେଖ ରହିଛି, ଲଖନା ସରପଞ୍ଚ ଜିତେନ୍ଦ୍ର ଠାକୁର ୱାର୍ଡ ସଭ୍ୟାସଭ୍ୟଙ୍କୁ ଅଣଦେଖା କରି ନିଜ ମନମୁଖି କାର୍ଯ୍ୟ କରିଚାଲିଛନ୍ତି। ତାଙ୍କ ବିରୋଧରେ କିଛି କହିଲେ ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ସୁଚାରୁରୂପେ ହେଉନାହିଁ। ସରକାରଙ୍କ ବିଭିନ୍ନ ଯୋଜନାରୁ ଅର୍ଥ ମଞ୍ଜୁର ହୋଇ ପଞ୍ଚାୟତକୁ ଆସିଥିଲେ ବି କାର୍ଯ୍ୟ ନ ହୋଇ ପଡିରହିଛି। ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗ, ବିଧବା ଭତ୍ତା ନିୟମିତ ପ୍ରଦାନ କରାଯାଉ ନାହିଁ ଉନ୍ନୟନ କାର୍ଯ୍ୟ ଉପରେ ସମୀକ୍ଷା ପାଇଁ ମାସିକ ବୈଠକ ହେଉ ନାହିଁ। ଏ ନେଇ ପଞ୍ଚାୟତର ୱାର୍ଡ ସଭ୍ୟାସଭ୍ୟ ଏକ ବୈଠକ କରି ସମସ୍ତ ପ୍ରସ୍ତାବ ଉପରେ ଆଲୋଚନା କରି ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସରପଞ୍ଚଙ୍କ ମନମୁଖି କାର୍ଯ୍ୟ ଉପରେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି। ଅଭିଯୋଗ ଅନୁଯାୟୀ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ଉପ ଜିଲାପାଳ ମାଝି ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମୟରେ ନାଏବ ସରପଞ୍ଚ ପଦ୍ମନୀ ସୁନାନୀ, ୱାର୍ଡ ସଭ୍ୟା ହେମଲତା ଦାସ, ସବିର ହୁସେନ, ଗୋକୁଳ ବରିହା, ଗୁରୁ ପ୍ରସାଦ ବାଗ, ଦୁଲେଶା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ମତାମତ ପାଇଁ ସରପଞ୍ଚ ଜିତେନ୍ଦ୍ର ଠାକୁରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା।