ଡ୍ରାଇଭର ସଂଘର ଦାବିପତ୍ର

ପୋଲସରା/ଗଞ୍ଜାମ/ସୋରଡ଼ା/ରମ୍ଭା,୯।୧୧(ଡି.ଏନ.ଏ.):ପୋଲସରା ଡ୍ରାଇଭର ସଂଘ ପକ୍ଷରୁ ସରକାରଙ୍କ ଉଦ୍ଦେଶ୍ୟରେ ୯ ଦଫା ଦାବି ସମ୍ବଳିତ ପତ୍ର ପ୍ରଦାନ କରାଯାଇଛି। ରାଜ୍ୟର ୩୦ ଜିଲାରେ କାର୍ଯ୍ୟରତ ଥିବା ସମସ୍ତ ଡ୍ରାଇଭର ଗତ ଏକବର୍ଷ ଧରି ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଦ୍ୱାରସ୍ଥ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ତେଣୁ ଡ୍ରାଇଭର ସଂଘ ସରକାରଙ୍କୁ ଚେତାବନୀ ପୂର୍ବକ ପୁନର୍ବାର ଆନ୍ଦୋଳନ କରିବା ନେଇ ପୋଲସରା ଶାଖା ପକ୍ଷରୁ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଓ ପୁରଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ଡ଼୍ରାଇଭର ମହାସଂଘର ମୁଖ୍ୟ ଦାବିଗୁଡିକ ହେଉଛି, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ଼୍ରାଇଭରମାନଙ୍କୁ ୨୦ଲକ୍ଷ ଟଙ୍କା, ଦୁର୍ଘଟଣାରେ ଅକର୍ମଣ୍ୟ ଡ଼୍ରାଇଭରଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ବୀମା ରାଶି ଯୋଗାଇ ଦେବା ଦାବି ରହିଛି।
ଓଡ଼ିଶା ଡ୍ରାଇଭର ସଂଘ ସୋରଡ଼ା ଶାଖା ତରଫରୁ ରବିବାର ଆଇଆଇସି ରମେଶ କୁମାର ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସଂଘର ଅକ୍ଟୋବର ୧୮ ତାରିଖର ନିଷ୍ପତ୍ତି ଅନୁଯାୟୀ ସମ୍ବଲପୁରଠାରୁ ଦଣ୍ଡବତ ଯାତ୍ରା ଆରମ୍ଭ ହୋଇ ରାଜଧାନୀରେ ପହଞ୍ଚିବ। ଶୀଘ୍ର ସରକାର ସଂଘର ଦାବି ପୂରଣ ନ କଲେ ସାରା ରାଜ୍ୟର ଡ୍ରାଇଭରମାନେ ରାଜ୍ୟର ସମସ୍ତ ଅଞ୍ଚଳରେ ଅସହଯୋଗ କରିବେ ବୋଲି ଜଣାଇଛନ୍ତି । ଜିଲା ସଭାପତି ଏମ ସୋହାବୁଦ୍ଦିନ, ସମ୍ପାଦକ ବାବୁ ବିଶ୍ୱାଳଙ୍କ ଦସ୍ତଖତ ସମ୍ବଳିତ ପତ୍ର ସ୍ଥାନୀୟ ଶାଖାର ସଦସ୍ୟମାନଙ୍କ ଦ୍ୱାରା ଆଇଆଇସିଙ୍କୁ ପ୍ରଦାନ କରାଯାଇଛି। ସେହିପରି ରମ୍ଭା ଡ୍ରାଇଭର ମହାସଂଘ ପକ୍ଷରୁ ସଭାପତି ପ୍ରଫୁଲ୍ଲ ତରେଇଙ୍କ ନେତୃତ୍ୱରେ ଥାନା ଅଧିକାରୀ ପି. ସ୍ବରୂପ କୁମାର କିଷାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସମ୍ପାଦକ ସନ୍ତୋଷ କୁମାର ବିଶ୍ୱାଳ, ଉପସଭାପତି ସୁରେଶ ସ୍ବାଇଁ, କୋଷାଧ୍ୟକ୍ଷ ପଞ୍ଚାନନ ରଣାଙ୍କ ସମେତ କମିଟି ମେମ୍ବର ବିନୋଦ ବେହେରା, କାର୍ତ୍ତିକ ଚାନ୍ଦ, ଅଭିମନ୍ୟୁ ପ୍ରଧାନ, ଘନଶ୍ୟାମ ବେହେରା ସମେତ ଅନେକ ସଭ୍ୟ ସାମିଲ ହୋଇଥିଲେ।