
ନୂଆପଡ଼ା,୧୨ା୪ (ମକାରୁ ବେମାଲ):ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଗୁରୁବାର ବରଗଡ଼ ଜିଲା ଗସ୍ତରେ ଆସିଥିବାବେଳେ ନୂଆପଡ଼ା ଜିଲାର ବରିଷ୍ଠ ଭାଜପା ନେତା ତଥା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ସାକ୍ଷାତକରି ଜିଲାର ସମବାୟ ସମିତି ସମସ୍ୟା ଉପରେ ଆଲୋଚନାକରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷୀ ଓ ଗରିବ ଜନସାଧାରଣଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସମବାୟ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। କଳାହାଣ୍ଡି ଜିଲାରୁ ନୂଆପଡା ଭାଗହୋଇ ନୂତନ ଜିଲା ହେଲା ପରେ ଜିଲାରେ ଏକ ନୂତନ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପ୍ରତିଷ୍ଠା କରିବା ପାଇଁ ବହୁ ଦିନରୁ ଦାବି ହୋଇଆସୁଛି। ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କରୁ ନୂଆପଡ଼ା ଜିଲାକୁ ପ୍ରତ୍ୟାହାରକରି ଏକ ନୂତନ ନୂଆପଡା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପ୍ରତିଷ୍ଠା କରିବା ପାଇଁ ପାଣିଗ୍ରାହୀ ଦାବି କରିଥିଲେ। ଦୀର୍ଘଦିନ ହେଲା ଜିଲାରେ ନୂତନ କରି ୪୦ଟି ନୂଆ ସମବାୟ ସମିତି ଗଠନ ପାଇଁ ପ୍ରସ୍ତାବିତ ହୋଇ ପଡ଼ିରହିଛି। ଏଣୁ ତୁରନ୍ତ ଏହି ପ୍ରସ୍ତାବିତ ସମିତି ଖୋଲାଯାଇ କାର୍ଯ୍ୟକ୍ଷମ କରିବାକୁ ପାଣିଗ୍ରାହୀ ଅନୁରୋଧ କରିଛନ୍ତି। ମନ୍ତ୍ରୀ ବଳସାମନ୍ତ ସମବାୟ ବ୍ୟାଙ୍କ ତଥା ସୋସାଇଟି ଖୋଲିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଚାରାଧୀନ ଅଛି ବୋଲି ପ୍ରକାଶ କରିଥିଲେ।