Categories: ରାଜ୍ୟ

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ସୁବିଧା କରିବାକୁ ଦାବି

ପୁରୀ,୧୩ା୧୧: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ମାନେ କିଭଳି ସୁବିଧାରେ ଦର୍ଶନ କରିପାରିବେ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦିବ୍ୟାଙ୍ଗ ଅନୁଷ୍ଠାନ ପକ୍ଷରୁ ଆଜି ଦାବି କରାଯାଇଛି । ଶ୍ରୀକ୍ଷେତ୍ରକୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଜନକଙ୍କ ଦର୍ଶନକୁ ସହଜ ଓ ଅଧିକ ଶୃଙ୍ଖଳିତ କରିବା ଲାଗି ଦିବ୍ୟାଙ୍ଗ ଅନୁଷ୍ଠାନ ପକ୍ଷରୁ ହୋଇଥିବା ଦାବି ଉପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ଉତ୍ତର ଦ୍ୱାର ଦେଇ ସ୍ୱତନ୍ତ୍ର ର‌୍ୟାମ୍ପ ଜରିଆରେ ଦିବ୍ୟାଙ୍ଗ ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ
କରୁଥିଲେ । ପୂର୍ବଭଳି ଏହି ରାସ୍ତା ଦେଇ ଦିବ୍ୟାଙ୍ଗଜନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଓ ଶ୍ରୀଜୀଉଙ୍କ ଦର୍ଶନ କରାଇବା ଲାଗି ପ୍ରଶାସନ ବ୍ୟବସ୍ଥା କରୁ ବୋଲି ଶ୍ରୀକ୍ଷେତ୍ର ଦିବ୍ୟାଙ୍ଗ ସେବା ସଂଗଠନ ପକ୍ଷରୁ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କୁ ଭେଟି ଏକ ଦାବିପତ୍ର ଦିଆଯାଇଛି ।

ଶ୍ରୀମନ୍ଦିର ପ୍ରଶାସକ ଶ୍ରୀ ଦାସ କହିଛନ୍ତି, ବର୍ତ୍ତମାନ ସ୍ୱତନ୍ତ୍ର ବ୍ୟାଟେରୀ ଚାଳିତ ଗାଡ଼ି ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ଶ୍ରୀମନ୍ଦିର ଅଫିସ ପର୍ଯ୍ୟନ୍ତ ଚଳାଯାଉଛି । ସେଠାରୁ ହୁଇଲ୍‍ ଚେୟାର ଜରିଆରେ ଭକ୍ତମାନଙ୍କୁ ସିଂହଦ୍ୱାର ପର୍ଯ୍ୟନ୍ତ ଅଣାଯାଉଛି । ପରିକ୍ରମା ପ୍ରକଳ୍ପର ଉଦ୍‍ଘାଟନ ପରେ ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗ ଭକ୍ତଙ୍କୁ ଦର୍ଶନ ବ୍ୟବସ୍ଥା ପ୍ରସ୍ତାବ ଉପରେ ଛତିଶା ନିଯୋଗ ଓ ପରିଚାଳନା କମିଟିରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ପରିକ୍ରମା ମାର୍ଗର ଉତ୍ତର ଦ୍ୱାର ଠାରେ ଦିବ୍ୟାଙ୍ଗଙ୍କ ପାଇଁ ବିଶ୍ରାମସ୍ଥଳୀ ରହିଛି । ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ପାଇଁ ଲକ୍ଷ୍ୟ ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

Share