ଷ୍ଟେଶନ ରାସ୍ତାରୁ ବେନିୟମ ହମ୍ପ୍‌ସ ଉଠାଇବାକୁ ଦାବି

କେନ୍ଦୁଝର,୩।୬(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝରଗଡ଼ ରେଳ ଷ୍ଟେଶନଠାରୁ ଧୋବାଡିହା ପର୍ଯ୍ୟନ୍ତ ଷ୍ଟେଶନ ରାସ୍ତା ରେଳ ଯାତ୍ରୀଙ୍କ ପାଇଁ ଜୀବନରେଖା ସଦୃଶ୍ୟ ହୋଇଥିବା ବେଳେ ଭାରତୀୟ ଖାଦ୍ୟ ନିଗମ, ଅବକାରୀ ବିଭାଗ ରେଞ୍ଜ୍‌ ଅଫିସ ଆଦି ବିଭାଗର ବହୁ ସଂଖ୍ୟାରେ ଯାନବାହନ ଚଳାଚଳ କରିଥାଏ। ସେହିପରି ସାଧାରଣ ଲୋକେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ। ମାତ୍ର ଉକ୍ତ ରାସ୍ତାଟି ଏବେ ଯାତାୟାତ ଅନୁପଯୋଗୀ ହୋଇପଡ଼ିଛି। ଦୁଇ କିଲୋମିଟର ଏହି ପୂର୍ତ୍ତ ବିଭାଗ ରାସ୍ତାରେ ବହୁସଂଖ୍ୟାରେ ବେନିୟମ ହମ୍ପ୍‌ସ ନିର୍ମାଣ କରାଯାଇଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣାର କାରଣ ସାଜୁଛି।
କେତେକ ସ୍ଥାନରେ ସିଧାସଳଖ ଭାବେ ଅବ୍ୟବହୃତ ଭଙ୍ଗା ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକୁ ଆଣି ରାସ୍ତା ଉପରେ ରଖି ଦିଆଯାଇଛି। ରାସ୍ତାର କେତେକ ସ୍ଥାନରେ ବେନିୟମ ଭାବେ ମାଟି, ମୋରମ, ମେଟାଲ, ଚିପ୍ସ, ବାଲି ଆଦି ଗଦା କରାଯାଇଛି। ଫଳରେ ସାଧାରଣ ଲୋକେ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେବା ସହ ଧନଜୀବନ ହାନି ଘଟୁଛି। ପୂର୍ତ୍ତ ବିଭାଗ ଦ୍ୱାରା ବେନିୟମ ହମ୍ପ୍‌ସ ଓ ଅନ୍ୟାନ୍ୟ ସାମଗ୍ରୀକୁ ରାସ୍ତାରୁ ହଟାଇବା ସହ ଆବଶ୍ୟକ ସ୍ଥଳେ ବିଭିନ୍ନ ଟ୍ରାଫିକ ସଂକେତ ଲଗାଇବା, ଜଳୁ ନ ଥିବା ଷ୍ଟ୍ରିଟ ଲାଇଟଗୁଡ଼ିକୁ ମରାମତି, ରାସ୍ତାର ଉଭୟପାର୍ଶ୍ୱରେ ରେଡିୟମ ଲଗାଇବା, ରାସ୍ତା ମଝିରେ ଚୂନ ପକାଇ ଚିହ୍ନ ଦିଆଯିବାକୁ ଯୁବ ଓ ଶ୍ରମ ବିକାଶ ମଞ୍ଚର ସଭାପତି ପୁଷ୍ପାଞ୍ଜଳି ବେହେରାଙ୍କ ସମେତ ବହୁ ବୁଦ୍ଧିଜୀବୀ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।
Share