ଫେକ୍‌ ଭୋଟରଙ୍କୁ ହଟାଇବା ଦାବି

ନୟାଗଡ଼,୧୯।୯(ଲୋକନାଥ ମିଶ୍ର): ନୟାଗଡ଼ ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାରେ ସ୍ଥାନୀତ ହୋଇଥିବା ୨୦ ହଜାର ଫେକ ଭୋଟରଙ୍କୁ ହଟାଇବା ପାଇଁ ନୟାଗଡ଼ର କେତେଜଣ ଭୋଟର ସୌମ୍ୟ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଜିଲାପାଳଙ୍କୁ ଭେଟି ସୋମବାର ଫେରାଦ୍‌ ହୋଇଛନ୍ତି। ଅନ୍ୟପକ୍ଷେ ମୁଖ୍ୟ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ କମିଶନଙ୍କୁ ମଧ୍ୟ ଅନୁରୂପ ଭାବେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, କେତେଜଣ ଭୋଟରଙ୍କ ନାଁ ନୟାଗଡ଼ ବ୍ଲକର ବିଭିନ୍ନ ଗାଁରେ ଓ ନୟାଗଡ଼ ମ୍ୟୁନିସିପାଲିଟିରେ ରହିଛି। ଏହି ଭୋଟରମାନେ ପଞ୍ଚାୟତ ଓ ପୌର ନିର୍ବାଚନରେ ଭୋଟ ଦେଇ ପାରୁଛନ୍ତି। ତେବେ ସେମାନଙ୍କ ନାଁକୁ ପ୍ରଶାସନ ହଟାଉ ନାହିଁ।
ଉଦାହରଣରେ ଗଦାଧରପ୍ରସାଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରାଥୀ ସ୍ବୟଂପ୍ରଭା ରଥଙ୍କୁ ନଜିର ଭାବେ ଦିଆଯାଇଛି। ସ୍ବୟଂପ୍ରଭା ୨୦୦୭ ଓ ୨୦୧୭ରେ ସରପଞ୍ଚ ପାଇଁ ଗଦାଧରପ୍ରସାଦ ପଞ୍ଚାୟତ ପାଇଁ ପ୍ରାର୍ଥୀ ହୋଇଥିଲେ। ତେବେ ସେହି ସ୍ବୟଂପ୍ରଭା ରଥ ଟାଇଟେଲକୁ କାଟି ମିଶ୍ର କରି ନୟାଗଡ଼ ମ୍ୟୁନିସିପାଲିଟିରେ ୩ ନଂ. କାଉନସିଲର ଭାବେ ବିଜୟୀ ହୋଇଛନ୍ତି। ଜଣେ ମହିଳା କିପରି ଗ୍ରାମଞ୍ଚଳରେ ଓ ସହରାଞ୍ଚଳରେ ଭୋଟ ଦେଉଛନ୍ତି, ନିର୍ବାଚନରେ ଲଢ଼ି ପାରୁଛନ୍ତି ସେନେଇ ପ୍ରଶ୍ନ ଉଠାଇଛନ୍ତି। ଭୋଟର ହେବା ପାଇଁ ଅନିମୟିତତାର କିଛି ପ୍ରମାଣ ପତ୍ର ସ୍ବରୂପ ଆଧାର କାର୍ଡ, ଭୋଟର ପରିଚୟ ପତ୍ରର ନକଲ ବି ଦିଆଯାଇ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଆଗକୁ ୨୦୨୪ ନିର୍ବାଚନ ଆସୁଥିବାରୁ ମୃତକ, ବିବାହିତ, ବାହାରେ ରହୁଥିବା ଲୋକଙ୍କ ନାମରେ ଯେପରି ଭୋଟ ଦିଆ ନ ହୁଏ ସେଥିପ୍ରତି ପଦକ୍ଷେପ ନେବାକୁ କୁହାଯାଇଛି।