Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ୱାରାଣ୍ଟାଇନ୍‌ରେ ପଠାଇବାକୁ ଦାବି: ଉଠୁଛି ଏଭଳି ପ୍ରଶ୍ନ…

ନୂଆଦିଲ୍ଲୀ,୧୪।୮: ଅଯୋଧ୍ୟାର ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମୁଖ୍ୟ ମହନ୍ତ ନୃତ୍ୟଗୋପାଳ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଅଗଷ୍ଟ ୫ରେ ହୋଇଥିବା ରାମମନ୍ଦିର ଭୂମିପୂଜନ ଉତ୍ସବରେ ଯୋଗଦେଇଥିବା ହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇସୋଲେଶନରେ ରୁହନ୍ତୁ ବୋଲି କିଛି ଲୋକ ଦାବି କରୁଛନ୍ତି। ଏପରିକି ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ଲାଲକିଲାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବା ଉଚିତ ନୁହେଁ। ଏହି ଘଟଣାରେ ରାଷ୍ଟ୍ରପତି ହସ୍ତକ୍ଷେପ କରନ୍ତୁ ବୋଲି ସେମାନେ ଦାବି କରୁଥିବା ଦେଖାଯାଇଛି।

ତହସିନ୍‌ ପୁନାସ୍ବାଲା ଏ ସଂକ୍ରାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଆଇସିଏମ୍‌ଆର୍‌ର ନିର୍ଦ୍ଦେଶକୁ ପାଳନ କରି ହୋମ୍‌ ଆଇସୋଲେଶନରେ ରହିବାକୁ ସେ କୁହନ୍ତୁ। କାରଣ ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କରାଯାଉଥିବା ସମୟରେ ପ୍ରଧାନମନ୍ତ୍ରୀ ମହନ୍ତଙ୍କ ନିକଟରେ ବସିଥିଲେ। ଏହାଛଡ଼ା ଶେହଲା ରସିଦ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ କ୍ୱାରାଣ୍ଟାଇନ୍‌ରେ ରହିବାର ଆବଶ୍ୟକତା ରହିଛି। ସେ ଆଇନ୍‌ ଉପରେ ନୁହନ୍ତି ବୋଲି ଶେହଲା କହିଛନ୍ତି।

ପ୍ରକାଶ ଯେ, ଭୂମି ପୂଜନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀବେନ ପଟେଲ, ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

Share