ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ହ୍ରାସ ଦାବିରେ ଅନଶନ

ଦେବଗଡ଼,୨୭ା୫(ଡି.ଏନ୍‌.ଏ.): ଦେବଗଡ଼ ପୌରପରିଷଦ ପକ୍ଷରୁ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପ୍ରତ୍ୟାହାର ସହ ୫ ଦଫା ଦାବିରେ ଶୁକ୍ରବାର ସକାଳୁ ପୌର ପରିଷଦ ସମ୍ମୁଖରେ ପୌର ପରିଷଦର ୭ କାଉନସିଲର ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଅନଶନ ଆରମ୍ଭ କରିଛନ୍ତି। ଶୁକ୍ରବାର ସକାଳୁ ସ୍ବାଧୀନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା, ଉପନଗରପାଳ ପ୍ରଜିତ କୁମାର ଭୋଜଙ୍କ ନେତୃତ୍ୱରେ କାଉନସିଲର କାର୍ତ୍ତିକ ମହାକୁଳ, ମଧୁସୂଦନ ବାଗ, ପିଙ୍କି ସାହୁ, ଇତିଶ୍ରୀ ମିଶ୍ର ଓ ସରୋଜିନୀ ମୁଣ୍ଡା ପ୍ରମୁଖ ପୌର କାର୍ଯ୍ୟାଳୟ ସମ୍ମୁଖରେ ହାତରେ ପ୍ଲା କାର୍ଡ ଧରି ଅନଶନ ଓ ଧାରଣା ଆରମ୍ଭ କରିଛନ୍ତି l ହୋଲ୍ଡିଂ ଟ୍ୟାକ୍ସକୁ ପୂର୍ବପରି ୨୦% ରିଆତି ସହ ସମୟ ସୀମାକୁ ଜୁନ୍‌ ପର୍ଯ୍ୟନ୍ତ ବୃଦ୍ଧି, ଦୈନିକ ପରିବା ବଜାର ନିଲାମ ରଦ୍ଦ କରି ପରିଷଦ ଅନୁମୋଦନ ପରେ ପୁନଃ ନିଲାମ କରାଯିବା, ପୌର ପରିଷଦ କଲ୍ୟାଣମଣ୍ଡପର ଦୈନିକ ଭଡ଼ା ୧୮ ହଜାର ପରିବର୍ତ୍ତେ ୧୦ ହଜାର କରାଯିବା, ପରିବା ବଜାର ଠାରେ ଶୌଚାଳୟ ନିିର୍ମାଣ ସହ ଅବସରପ୍ରାପ୍ତ ପୌର କର୍ମଚାରୀଙ୍କୁ ବକେୟା ଅର୍ଥ ଶୀଘ୍ର ପ୍ରଦାନ ଆଦି ଦାବି ପୂରଣ ନହେବା ଯାଏ ଏହି ଧାରଣା ଅନଶନ ଜାରି ରହିବ ବୋଲି ଆନ୍ଦୋଳନ କାରି କାଉନସିଲରମାନେ ପ୍ରକାଶ କରିଛନ୍ତି।