ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ ସ୍ଥାନାନ୍ତର ଦାବି

ଯାଜପୁର ସଦର,୭ା୩(ଡି.ଏନ.ଏ.): ଯାଜପୁର ସହରର ମହାବୀର ଛକ ମଝିରେ ଏକ ବିଦ୍ୟୁତ୍‌ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର ନିମ୍ନ ପାର୍ଶ୍ୱରୁ କଳଙ୍କି ଲାଗି ପ୍ରାୟ ୭୫ଭାଗ ନଷ୍ଟ ହୋଇଯାଇଛି। କିନ୍ତୁ ଏହି ଖୁଣ୍ଟରୁ ବିଭିନ୍ନ ଘରକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ଏହି ବିପଦପୂର୍ଣ୍ଣ ବିଦ୍ୟୁତ୍‌ ଖୁଣ୍ଟ ରାସ୍ତା ମଝିରେ ଥିବାରୁ ଯାତାୟାତ ପାଇଁ ଚାରିଚକିଆ ଯାନଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ଖୁଣ୍ଟଟିକୁ ଏଠାରୁ ଉଠାଇ ଅନ୍ୟତ୍ର ପୋତିବାକୁ ମହାବୀର ଛକର ଜନସାଧାରଣ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗ ନୀରବଦ୍ରଷ୍ଟା ସାଜିଛି। ଖୁଣ୍ଟଟି କେତେବେଳେ ଯେ ଭୁଶୁଡ଼ି ପଡ଼ିବ ସେନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି। ତେଣୁ ବିଦ୍ୟୁତ୍‌ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଖୁଣ୍ଟ ସ୍ଥାନାନ୍ତର ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Share