୬ ଶ୍ରମିକ କରୋନା ପଜିଟିଭ୍‌ ଚିହ୍ନଟ: ଶିଳ୍ପ ପ୍ରତିଷ୍ଠାନ ବନ୍ଦ ଦାବି ଜୋର୍‌ ଧରିଲା

ଝାରସୁଗୁଡ଼ା ଅଫିସ,୬ା୮: ଝାରସୁଗୁଡ଼ା ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ନିଆଯିବ ସହ ସାପ୍ତାହିକ ଶନିବାର ଏବଂ ରବିବାର ଶଟ୍‌ଡାଉନ ଘୋଷଣା କରାଯାଇଛି। କିନ୍ତୁ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନି। ବିଗତ ୨ ଦିନ ମଧ୍ୟରେ ଝାରସୁଗୁଡା ଜିଲା ହିର୍ମା ପଞ୍ଚାୟତ ଅଧିନସ୍ଥ ଏସ୍‌ଏମ୍‌ସି କାରଖାନାରେ ୬ ଜଣ କାର୍ଯ୍ୟରତ ଶ୍ରମିକଙ୍କ କରୋନା ପଜିଟିଭ୍‌ ଆସିବା ପରେ ପଞ୍ଚାୟତବାସୀ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। ଗୁରୁବାର ପଞ୍ଚାୟତର ଶତାଧିକ ମହିଳା କାରଖାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କାରଖାନାକୁ ବନ୍ଦ କରିବାକୁ ଦାବି କରିଛନ୍ତି। ଘଟଣାସ୍ଥଳରେ ଜିଲା ଏବଂ ପୋଲିସ ପ୍ରଶାସନ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରିଛନ୍ତି । ପରେ ଜିଲାପାଳଙ୍କ କ୍ଷମତା ପ୍ରୟୋଗ କରି ସ୍ଥାନୀୟ ସରପଞ୍ଚ ହିର୍ମା ପଞ୍ଚାୟତକୁ ୫ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଏହି ପଞ୍ଚାୟତରେ କେବଳ ଔଷଧ ଦୋକାନକୁ ବାଦ୍‌ ଦେଇ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସରପଞ୍ଚ। ତେବେ ଏସ୍‌ଏମସି କାରଖାନା କର୍ତ୍ତୃପକ୍ଷ ଠିକ ସମୟରେ ଗାଁକୁ ବିଶୋଧନ ମଧ୍ୟ କରୁଥିବା ନ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଏହି ଅଭିଯୋଗକୁ କାରଖାନାର ଅଧିକାରୀ ଖଣ୍ଡନ କରିଛନ୍ତି।