Categories: ଜାତୀୟ

ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବି

ମୁମ୍ବାଇ,୨୯।୧୦: ମୁସଲମାନ ବିରୋଧୀ ନୀତି ‘ଲଭ୍‌ ଜିହାଦ’ର ପ୍ରସାର କରାଉଥିବା ରେଖା ଶର୍ମାଙ୍କୁ ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ଅଧ୍ୟକ୍ଷା ପଦରୁ ହଟାଇବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବା ଲାଗି ଆରଟିଆଇ କର୍ମୀ ସାକେତ୍‌ ଗୋଖଲେ ବମ୍ବେ ହାଇକୋର୍ଟରେ ସିଭିଲ୍‌ ରିଟ୍‌ ପିଟିଶନ ଦାଖଲ କରିଛନ୍ତି। ନିକଟରେ ଶର୍ମା ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ଭେଟି ନାରୀ ସୁରକ୍ଷା ଓ ଲଭ୍‌ ଜିହାଦ ମାମଲା ବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିବା ଟୁଇଟ୍‌ କରିଥିଲେ। ଲଭ୍‌ ଜିହାଦକୁ ବିରୋଧ କରି ଗୋଖଲେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ମହିଳା କମିଶନ ଅଧ୍ୟକ୍ଷା ଖୋଲାଖୋଲି ଭାବେ ସାମ୍ପ୍ରଦାୟିକ ଓ ବିଭେଦ ସୃଷ୍ଟିକାରୀ ମନ୍ତବ୍ୟ ଦେଉଥିବା କହିଛନ୍ତି। ଏଥିରୁ ତାଙ୍କର କାର୍ଯ୍ୟ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲଭ୍‌ ଜିହାଦ ନାମରେ କୌଣସି ମାମଲା ନ ଥିବାବେଳେ ମୁସଲମାନ ସମ୍ପ୍ରଦାୟକୁ ଟାର୍ଗେଟ କରି ସମାଜରେ ବିଭେଦ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା ଏଭଳି ମାମଲା ବଢ଼ୁଥିବା ଅଭିଯୋଗ ଆଣିଛନ୍ତି। ଭାରତୀୟ ଆଇନରେ ‘ଲଭ ଜିହାଦ’ ଶବ୍ଦ ନାହିଁ କିମ୍ବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କୌଣସି କେନ୍ଦ୍ରୀୟ ଏଜେନ୍ସି ଏ ସମ୍ପର୍କରେ ରିପୋର୍ଟ କରିନାହାନ୍ତି। ଏହା ଏକ ଅନୌପଚାରିକ ପ୍ରସଙ୍ଗ। ମୁସଲମାନମାନେ ହିନ୍ଦୁ ଯୁବତୀଙ୍କୁ ଇସ୍‌ଲାମ ଧର୍ମକୁ ପରିବର୍ତ୍ତନ କରିବା ଲାଗି ସେମାନଙ୍କୁ ପ୍ରେମରେ ଫସାଇ ଉକ୍ତ ସମ୍ପ୍ରଦାୟ ବିରୋଧରେ ଜିହାଦ (ପବିତ୍ର ଯୁଦ୍ଧ) କରୁଥିବାର କୁହାଯାଇଥାଏ, ଯାହା ଏକ ଭିତ୍ତିହୀନ ଷଡ଼ଯନ୍ତ୍ର ସୂତ୍ରକୁ ସୂଚାଉଛି ବୋଲି ଗୋଖ୍‌ଲେ ତାଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି।

Share