କୃଷି ବିଲ୍‌ ପ୍ରତ୍ୟାହାର ପାଇଁ ପୂର୍ବ-ପଶ୍ଚିମରୁ ଆସିଲା ଦାବି

ଭୁବନେଶ୍ୱର, ୩।୩ (ବ୍ୟୁରୋ): ନୂଆ କୃଷି ଆଇନକୁ ଦେଶବ୍ୟାପୀ ତୀବ୍ର ବିରୋଧ କରାଯାଉଛି। ଏହାକୁ ପ୍ରତ୍ୟାହାର ପାଇଁ ଓଡ଼ିଶାରେ ମଧ୍ୟ ଆନ୍ଦୋଳନ ଜାରି ରହିଛି। କୃଷି ଓ କୃଷକଙ୍କ ପାଇଁ ଅଣ୍ଟା ଭିଡିଥିବା ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ବୟ ସମିତି ଏବଂ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ଅଭିନବ ପ୍ରତିବାଦ କରିଛି। ପୂର୍ବ ଓ ପଶ୍ଚିମରୁ ବାଇକ୍‌ ରାଲିର ଆୟୋଜନ କରି ଦାବି ରଖିଛି ଦୁଇ ସମିତି। ମଙ୍ଗଳବାର ଭୁବନେଶ୍ୱରଠାରେ ବିଶାଳ ବାଇକ୍‌ ରାଲି ଓ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ଏକ ବାଇକ ଶୋଭାଯାତ୍ରା କଟକ-ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ବାଇପାସ୍‌ ଛକଠାରୁ ବାହାରି ରସୁଲଗଡ, ବାଣୀବିହାର ଛକଦେଇ ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜି ପହଞ୍ଚତ୍ଥିଲା। ପୂର୍ବରୁ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ନେତୃତ୍ୱରେ ବରଗଡଠାରୁ ଗତ ଫେବୃୟାରୀ ୨୮ରେ ବାହାରିଥିବା ଉଲ୍‌ ଗୁଲାନ୍‌ ଯାତ୍ରା ଭୁବନେଶ୍ୱରରେ ଏହି ଶୋଭାଯାତ୍ରା ସହ ସାମିଲ ହୋଇଥିଲା। ଏହି ଅବସରରେ ଏକ ୩ଜଣିଆ ପ୍ରତିନିଧି ଦଳ ୬ଦଫା ଦାବି ସମ୍ବଳିତ ସ୍ମାରକପତ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ମୋଦି ସରକାର ପ୍ରଣୟନ କରିଥିବା ୩ କୃଷକ ବିରୋଧୀ କୃଷି ଆଇନ କର୍ପୋରେଟଙ୍କ ସ୍ବାର୍ଥରେ ଅଣାଯାଇଛି। ତେଣୁ ଏହି ଆଇନଗୁଡିକୁ ତୁରନ୍ତ ପ୍ରତ୍ୟାହାର କରିବା, ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ନିମନ୍ତେ ସ୍ବାମୀନାଥ କମିଶନ ସୁପାରିଶ ଅନୁସାରେ ଏମ୍‌ଏସ୍‌ପି ପ୍ରଦାନ କରିବା ନିମନ୍ତେ ଆଇନ ପ୍ରଣୟନ କରିବା, ପ୍ରତି ଧାନ କୁଇଣ୍ଟାଲରେ ୧୦୦୦ଟଙ୍କା ବୋନସ୍‌ ପ୍ରଦାନ କରିବା ଆଦି ଦାବି କରାଯାଇଛି।
ସମିତି ପକ୍ଷରୁ ସୁରେଶ ପାଣିଗ୍ରାହୀଙ୍କ ସଂଯୋଜନାରେ ବିଧାନସଭା ସମ୍ମୁଖରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ନେତୃବୃନ୍ଦ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହ ଆସନ୍ତା ୨୩ ତାରିଖରେ ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ କୃଷକ ଅଧିକାର ସମାବେଶ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାଜ୍ୟବ୍ୟାପି କିଷାନ୍‌ ଅଧିକାର ଯାତ୍ରା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ମହିଳା ନେତ୍ରୀ ପ୍ରମୋଦିନୀ ସାହୁ, ପ୍ରମିଳା ବେହେରା, ଶ୍ରମିକ ନେତା ରାମକୃଷ୍ଣ ପଣ୍ଡା, ସୁର ଜେନା, ପ୍ରଭାତ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ।

Share