ମେଡିକାଲ କଲେଜରେ ପରିଣତ ପାଇଁ ଦାବି

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ରାଉରକେଲା ଇସ୍ପାତ ଜେନେରାଲ (ଆଇଜିଏଚ୍‌) ହସ୍ପିଟାଲକୁ ଏକ ମେଡିକାଲ କଲେଜ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲରେ ବିକଶିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ହେଲେ ଆଇଜିଏଚ୍‌କୁ ମେଡିକାଲ କଲେଜରେ ପରିଣତ ନ କରି କେବଳ ଏକ ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରାଯାଇଛି। ଦୁଃଖର କଥା ଘୋଷଣା କରିବାର ୬ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଇଜିଏଚ୍‌କୁ ଏକ ମେଡିକାଲ୍‌ କଲେଜରେ ପରିଣତ କରାଯାଇପାରିଲାନି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏମିତି ଚିଠି ଲେଖି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିରେ ହସ୍ତକ୍ଷେପ କରିବା ସହ ସୁନ୍ଦରଗଡ଼ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରିବା ପାଇଁ ଆଇଜିଏଚ୍‌କୁ ମେଡିକାଲ୍‌ କଲେଜରେ ପରିଣତ କରିବାକୁ ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ମନ୍ତ୍ରୀ ମଲ୍ଲିକ କହିଛନ୍ତି।
ମନ୍ତ୍ରୀ ମଲିକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆଇଜିଏଚ୍‌ ହସ୍ପିଟାଲ ଏହି ଅଞ୍ଚଳର ଲୋକଙ୍କ ପାଇଁ ଏକ ଉଚ୍ଚମାନର ଚିକିତ୍ସା ସୁବିଧା ଆଣିପାରିଛି। ଏହାକୁ ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବା ପରିପ୍ରେକ୍ଷୀରେ ଏହାର ଉଦ୍‌ଘାଟନୀ ଉତ୍ସବର ନିମନ୍ତ୍ରଣ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଆପଣଙ୍କ ମାଧ୍ୟମରେ ହସ୍ତଗତ ହୋଇଛି। ଏହି ନିମନ୍ତ୍ରଣ ପାଇଁ ରାଜ୍ୟ ସରକାର ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଛନ୍ତି। ୨୦୧୫ ଏପ୍ରିଲ୍‌ ୨ ତାରିଖରେ ଆଇଜିଏଚ୍‌କୁ ମେଡିକାଲ କଲେଜ ଓ ସୁପର ସ୍ପେଶାଲିଟି ହସ୍ପିଟାଲ୍‌ କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ତତ୍କାଳୀନ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଅତିଶୀଘ୍ର ମେଡିକାଲ୍‌ କଲେଜ ଉପରେ କାମ ଆରମ୍ଭ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ଆମେ ସମସ୍ତେ ବିଚଳିତ ଯେ, ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଅବମାନନା କରିଛନ୍ତି। ଆଇଜିଏଚ୍‌ ମେଡ଼ିକାଲ୍‌ କଲେଜରେ ଉନ୍ନୀତ ହୋଇଥିଲେ ଆଖପାଖ ଅଞ୍ଚଳର ଲୋକେ ବିଶେଷ ଉପକୃତ ହୋଇଥାନ୍ତେ। ପ୍ରତିଶ୍ରୁତି ପୂରଣ ନ ହେବାରୁ ଅଞ୍ଚଳବାସୀ ନିରାଶ ଏବଂ ଦୁଃଖିତ। ମେଡିକାଲ କଲେଜ ନ କରି ୨୦୦ ଶଯ୍ୟା ସୁପର ସ୍ପେଶାଲିଟି ହସ୍ପିଟାଲ ହୋଇଥିବାରୁ ସେ ବ୍ୟକ୍ତିଗତ ଭାବେ ଅତ୍ୟନ୍ତ ନିରାଶ ବୋଲି ଇସ୍ପାତ ମନ୍ତ୍ରୀ ମଲିକ ଉଲ୍ଲେଖ କରିଛନ୍ତି। ରାଉରକେଲାବାସୀଙ୍କ ଦୀର୍ଘଦିନର ଆକାଂକ୍ଷା ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ଅତିଶୀଘ୍ର ପୂରଣ କରିବେ ବୋଲି ମଲିକ ଆଶା ପ୍ରକାଶ କରିଛନ୍ତି।

Share