‘ଆଶ୍ରମ’ ଓ୍ବେବ୍‌ ସିରିଜ୍‌ ନାଁ ବଦଳାଇବାକୁ ଦାବି

ଭୋପାଳ, ୨୬।୧୦: ପ୍ରକାଶ ଝା’ଙ୍କ ନିର୍ଦ୍ଦେଶିତ ଓ୍ବେବ୍‌ ସିରିଜ୍‌ ‘ଆଶ୍ରମ’ର ନାମ ପରିବର୍ତ୍ତନ ଦାବି ଜୋର୍‌ ଧରିଛି। ରବିବାର ବଜରଙ୍ଗ ଦଳ କର୍ମୀମାନେ ଶୁଟିଂ ସେଟ୍‌ରେ ଆକ୍ରମଣ କରି ଭଙ୍ଗାରୁଜା କରିବା ପରେ ସୋମବାର ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସେମାନଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି। ଜାଣିଶୁଣି ହିନ୍ଦୁଧର୍ମକୁ ଟାର୍ଗେଟ କରାଯାଉଛି। ଓ୍ବେବ୍‌ ସିରିଜ୍‌ ନାଁ ବଦଳାଯିବା ଦରକାର ବୋଲି ସେ କହିଛନ୍ତି। ସେହିପରି ଡାବର କମ୍ପାନୀର ଏକ ବିଜ୍ଞାପନରେ ସମଲିଙ୍ଗୀ ଦମ୍ପତି କରଓ୍ବା ଚୌଥ୍‌ ପାଳନ କରୁଥିବା ଦେଖାଯାଇଛି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବାବେଳେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଭୋପାଳର ଆରେରା ହିଲ୍‌ସଠାରେ ରବିବାର ସନ୍ଧ୍ୟାରେ ପ୍ରକାଶ ଝା’ଙ୍କ ‘ଆଶ୍ରମ-୩’ର ଶୁଟିଂ ଚାଲିଥିବାବେଳେ ବଜରଙ୍ଗ ଦଳ କର୍ମୀମାନେ ପହଞ୍ଚତ୍ ଭଙ୍ଗାରୁଜା କରିବା ଜଣେ କର୍ମଚାରୀଙ୍କୁ ଧରିନେଇ ଲାଇଟ୍‌ ଷ୍ଟାଣ୍ଡରେ ପିଟିଥିଲେ। ଉତ୍ତ୍ୟକ୍ତ ଲୋକେ ପ୍ରକାଶ ଝାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ମୁହଁକୁ କାଳି ଫିଙ୍ଗିଥିଲେ। ‘ଆଶ୍ରମ’ ନାମରେ ହିନ୍ଦୁଧର୍ମ ପ୍ରତି ଅପମାନ କରାଯାଇଛି। ଏହାର ନାମ ପରିବର୍ତ୍ତନ କରା ନ ଗଲେ ଉକ୍ତ ସିରିଜକୁ ପ୍ରସାରଣ ଅନୁମତି ଦିଆଯିବ ନାହିଁ ବୋଲି ବଜରଙ୍ଗ ଦଳ ପକ୍ଷରୁ କୁହାଯାଇଛି।

Share