ବନ୍ଧୁକ ମୁନରେ ଗଣତନ୍ତ୍ର ,୧୧ ଜଣଙ୍କୁ ଜୀବନ୍ତ ଜଳାଇଲେ ସାମରିକ ଶାସକ…

ନାପିଦ୍ୱ,୯।୧୨: ମ୍ୟାନ୍‌ମାରରେ ସାମରିକ ଶାସକଙ୍କ ନିର୍ଯାତନା ସମସ୍ତ ସୀମା ଟପିଛି। ଦେଶରେ ବନ୍ଧୁକ ମୁନରେ ଗଣତନ୍ତ୍ର ସମର୍ଥକଙ୍କୁ ଦମନ କରାଯାଉଛି। ଏହା ସହିତ ସେନାର ଏକଛତ୍ରବାଦୀ ଶାସନ ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ, ସୈନ୍ୟବାହିନୀ ୫ ଜଣ ଛୋଟ ପିଲାଙ୍କ ସହିତ ୧୧ ଜଣ ଗ୍ରାମବାସୀଙ୍କୁ ଗୁଳି କରିବା ସହିତ ପରେ ପ୍ରମାଣ ନଷ୍ଟ କରିବା ଲାଗି ସେମାନଙ୍କୁ ଜୀବନ୍ତ ଜଳାଇ ଦେଇଛନ୍ତି। ମ୍ୟାନ୍‌ମାରର ଉତ୍ତର-ପଶ୍ଚିମ ସଗାଇଙ୍ଗ ଅଞ୍ଚଳର ଡାନ ତାଓ୍ବ ଗାଁରେ ଏଭଳି ଅମାନୁଷିକ କାଣ୍ଡ ସୈନ୍ୟମାନେ ଭିଆଇଛନ୍ତିି।

ଏହାର ଭିଡିଓ ଫୁଟେଜ ଏବେ ଭାଇରାଲ ହେବାରେ ଲାଗିଛି। ଗୁଳି କରାଯିବା ପରେ ବି କେତେକ ଲୋକ ଜୀବିତ ଥିଲେ। ତେବେ ସେମାନଙ୍କୁ ଜୀବନ୍ତ ଜଳା ଯାଇଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି।

ଏନେଇ ମିଳିତ ଜାତିସଂଘ ପକ୍ଷରୁ ଗଭୀର ଚିନ୍ତା ପ୍ରକଟ କରାଯାଇଛି। ଜାତିସଂଘର ମୁଖପାତ୍ର ଷ୍ଟିଫେନ ଡୁଜାରିକ ଏହି ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହ ଏହି ହିଂସାର ଦୃଢ଼ ନିନ୍ଦା କରି କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ଶିଶୁ ଅଛନ୍ତି।

୧୧ ଜଣଙ୍କର କିପରି ମୃତ୍ୟୁ ହେଲା ଅଧିକାରିକସ୍ତରରେ ତାହାର କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ନ୍ୟୁଜ ଏଜେନ୍ସି ଆସୋସିଏଟେଡ ପ୍ରେସ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ କରାଯାଇ ଏହାର ରିପୋର୍ଟ ପ୍ରଦାନ କରାଯାଇଛି।

Share