ଦେଶରେ ଗଣତନ୍ତ୍ରର ବିଜୟ ହୋଇଛି: ଶରତ

ଭୁବନେଶ୍ବର, ୫ା୮(ସୁନିତ୍‌ ମିଶ୍ର): ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି)ର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ହୋଇଥିବା ମାନହାନି ମକଦ୍ଦମାର ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ କଂଗ୍ରେସ ଶିବିରରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଦଳର ବହୁ ବରିଷ୍ଠ ନେତା ବାଜା ବଜାଇ ପରସ୍ପରକୁ ମିଠା ଖୁଆଇଛନ୍ତି। କେତେଜଣ ନେତା ନାଚୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଫଳରେ ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟ ପଦ ବଜାୟ ରଖିବା ସହ ସେ ପୁଣିଥରେ ନିର୍ବାଚନ ଲଢ଼ିପାରିବେ। ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦ୍ୱାରା ଦେଶରେ ଗଣତନ୍ତ୍ରର ବିଜୟ ହୋଇଛି। ରାହୁଲଙ୍କ ଶାଣିତ ସ୍ବରକୁ ଚପାଇଦେବା ପାଇଁ ଯେଉଁ ଚକ୍ରାନ୍ତ ହୋଇଥିଲା ତାହାର ଅବସାନ ଘଟିଛି। ରାହୁଲ ଗାନ୍ଧୀ ସାଧାରଣ ଜନତାର ଦାବିକୁ ଉପସ୍ଥାପନ କରୁଛନ୍ତି, ସରକାରର ଭ୍ରଷ୍ଟାଚାର, ଦୁର୍ନୀତି ଓ ଜନବିରୋଧୀ ନୀତିକୁ ଦୃଢ଼ ସ୍ବରରେ ସଂସଦ ଭିତରେ ଓ ବାହାରେ ପ୍ରତିବାଦ କରୁଛନ୍ତି। ତାହା ମୋଦି ସରକାରଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଦ୍ୱାରା କେବଳ ସାରା ଦେଶର କଂଗ୍ରେସ କର୍ମୀ ଉତ୍ସାହିତ ହୋଇନାହାନ୍ତି ବରଂ କ୍ଷମତାସୀନ ଏନ୍‌ଡିଏ ସରକାର ବିରୋଧରେ ସ୍ବର ଉତ୍ତୋଳନ କରିଆସୁଥିବା ବିଭିନ୍ନ ବିରୋଧୀ ଦଳ, ସାମାଜିକ ଅନୁଷ୍ଠାନ, ବୁଦ୍ଧିଜୀବୀ, ଛାତ୍ର ଓ ଯୁବ ସମାଜକୁ ଆନନ୍ଦିତ କରିଛି। ରାହୁଲଙ୍କ ମୁହଁ ବନ୍ଦ କରିବା ପାଇଁ ତାଙ୍କ ସଭ୍ୟପଦ ରଦ୍ଦ କରାଯାଇଥିଲା। ଏଥିସହ ତାଙ୍କୁ ଜେଲରେ ରଖିବା ପାଇଁ ଷଡ଼ଯନ୍ତ୍ର ହେଉଥିଲା। ହେଲେ ସୁପ୍ରିମକୋର୍ଟ ଏହି ଷଡ଼ଯନ୍ତ୍ରକୁ ପଣ୍ଡ କରିଛନ୍ତି ବୋଲି ଶରତ କହିଛନ୍ତି।

Share