ଗଣତାନ୍ତ୍ରିକ ସୂଚକାଙ୍କ:୪୬ତମ ସ୍ଥାନରେ ଭାରତ

ଲଣ୍ଡନ,୧୧।୨:ଇଆଇୟୁ (ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ) ଦ୍ୱାରା ପ୍ରସ୍ତୁତ ୨୦୨୧ ଗଣତନ୍ତ୍ର ସୂଚକାଙ୍କରେ ଭାରତର ଗଣତାନ୍ତ୍ରିକ ସ୍କୋର ହ୍ରାସ ପାଇଛି। ହିନ୍ଦୁ ଜାତୀୟତାବାଦୀଙ୍କ ଦ୍ୱାରା ସଂଖ୍ୟାଲଘୁଙ୍କ ବିରୋଧରେ ହେଉଥିବା ମାମଲା ଓ ଅନ୍ୟାନ୍ୟ ଧର୍ମୀୟ ମାମଲାଗୁଡ଼ିକୁ ରୋକିବାରେ ଭାରତ ସରକାର ବିଫଳ ହୋଇଥିବାରୁ ଗଣତାନ୍ତ୍ରିକ ସ୍କୋର କମୁଥିବା ଉକ୍ତ ରିପୋର୍ଟରେ କୁହାଯାଇଛି। ବର୍ଷେରୁ ଊର୍ଦ୍ଧ୍ୱ ସମୟ ଚାଷୀମାନଙ୍କ ବିକ୍ଷୋଭ ଯୋଗୁ ସରକାର କୃଷି ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ। ଫଳରେ ଭାରତର ସ୍କୋର୍‌ରେ ସାମାନ୍ୟ ଉନ୍ନତି ହୋଇଥିଲା। ବିଶ୍ୱ ସୂଚକାଙ୍କରେ ଭାରତର ସ୍ଥାନ ୪୬ ରହିଛି। ଏହା ମୋଟ ଉପରେ ୬.୯୧ ସ୍କୋର ହାସଲ କରିଛି। ରାଜନୈତିକ ସଂସ୍କୃତିରେ ଭାରତ ସର୍ବନିମ୍ନ ସ୍କୋର ୫ ହାସଲ କରିଥିବାବେଳେ ନିର୍ବାଚନୀ ପ୍ରକ୍ରିୟା ଏବଂ ବହୁଳବାଦରେ ସର୍ବାଧିକ ୮.୬୭ ସ୍କୋର କରିଛି। ଏହା ବ୍ୟତୀତ ନାଗରିକ ସ୍ବାଧୀନତାରେ ୬.୧୮, ରାଜନୈତିକ ଯୋଗଦାନରେ ୭.୨୨ ଏବଂ ସରକାରଙ୍କ କାର୍ଯ୍ୟକାରିତାରେ ଭାରତକୁ ୭.୫୦ ନମ୍ବର ମିଳିଛି। ଏସିଆ ମହାଦେଶରେ ମ୍ୟାନ୍‌ମାର, ଆଫଗାନିସ୍ତାନ, ଉତ୍ତର କୋରିଆ ସର୍ବନିମ୍ନ ର଼୍ୟାଙ୍କରେ ରହିଛନ୍ତି। ଏହି ଦେଶଗୁଡ଼ିକ ଲାଗି ଏସିଆର ହାରାହାରି ସୂଚକାଙ୍କ ହ୍ରାସ ପାଇଛି। ଇଆଇୟୁର ୨୦୨୧ ଡେମୋକ୍ରାସି ଇଣ୍ଡେକ୍ସ ରିପୋର୍ଟ ଅନୁଯାୟୀ ସାରା ବିଶ୍ୱରେ ଗଣତନ୍ତ୍ର ଓ ସ୍ବାଧୀନତା ଉପରେ କୋଭିଡ୍‌-୧୯ର ନକାରାତ୍ମକ ପ୍ରଭାବ ପଡ଼ିଛି।
ଡେମୋକ୍ରାଟିକ୍‌ ଇଣ୍ଡେକ୍ସରେ ୨୦୨୦ରେ ୧୧ତମ ସ୍ଥାନରେ ଥିବା ତାଇଓ୍ବାନ୍‌ ୨୦୨୧ରେ ଅଷ୍ଟମ ସ୍ଥାନକୁ ଉନ୍ନୀତ ହୋଇଛି। ଏହି ଇଣ୍ଡେକ୍ସରେ ଜାମ୍ବିଆ ପରେ ଇଣ୍ଡୋନେସିଆ ଦ୍ୱିତୀୟ ସର୍ବାଧିକ ଉନ୍ନତି କରିଛି। ୨୦୨୦ରେ ଏହା ୬୪ତମ ସ୍ଥାନରେ ରହିଥିବାବେଳେ ଏଥର ୫୨ତମ ସ୍ଥାନକୁ ଉନ୍ନୀତ ହୋଇଛି। ନିକଟ ଦଶକରେ ଚାଇନା ଉଲ୍ଲେଖନୀୟ ଆର୍ଥତ୍କ ସଫଳତା ହାସଲ କରିବା ସତ୍ତ୍ୱେ ଏହା ଅଧିକ ଗଣତାନ୍ତ୍ରିକ ହୋଇପାରି ନାହିଁ। ଡେମୋକ୍ରାଟିକ୍‌ ଇଣ୍ଡେକ୍ସରେ ଚାଇନାରେ ସତ୍ତାବାଦୀ ଶାସନ ଚାଲିଥିବା କୁହାଯିବା ସହ ମୋଟ ସ୍କୋର ୨.୨୧ ଦିଆଯାଇଛି।

Share